ରେଳ ଷ୍ଟେସନରେ ବ୍ୟବହାର ହୋଇ ସାରିଥିବା ପାଣି ବୋତଲରେ ପାଣି ଭର୍ତ୍ତି କରି ପୁଣି ବିକ୍ରୀ କରାଯାଇପାରିବ ନାହିଁ
Khabar Odisha:Plastic-bottles-used-in-rail-station-will-not-be-sold-again-to-fillon-water
ଭୁବନେଶ୍ୱର, ଜୁଲାଇ ୧୨(ଖବର ଓଡ଼ିଶା) :

 ପିଇବା ପାଣିର ବୋତଲ ବ୍ୟବହାର ହୋଇସାରିବା ପରେ ପୁଣି ସେଥିରେ ରିଫିଲିଙ୍ଗ କରାଯାଇ ଯାତ୍ରୀମାନଙ୍କୁ ବିକ୍ରୀ କରାଯିବାର ବେଆଇନ କାରବାରରେ ଲଗାମ ଲାଗିବାକୁ ଯାଉଛି । ରେଳ ମନ୍ତ୍ରୀ ପିୟୁଷ ଗୋଏଲ ଏହି ସମସ୍ୟାର ସମାଧାନ କରିବା ପାଇଁ ରେଳ ଷ୍ଟେସନରେ ପ୍ଲାଷ୍ଟିକ ବୋତଲ ଗୁଣ୍ଡ କରି ଦେବାର ମେସିନ ଲଗାଇବାର ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ଷ୍ଟେସନରେ ପରିଚ୍ଛନ୍ନତା ରହିବା ସାଙ୍ଗକୁ ପୁରୁଣା ବୋତଲର ପୁନଃ ବ୍ୟବହାର ଦିଗରେ ଅଙ୍କୁଶ ଲାଗିବା ସହିତ ଯାତ୍ରମାନଙ୍କୁ ଶୁଦ୍ଧ ପିଇବା ପାଣି ମିଳିବାର ନିଶ୍ଚିତତା ରହିବ ।

ରେଲୱେ ବୋର୍ଡ଼ ଜୁଲାଇ ୪ରେ ଏଭଳି ମେସିନ ସ୍ଥାପନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛି । ପ୍ରଥମ ପର୍ଯ୍ୟାୟରେ ଦେଶର ୧୬ଟି ଯୋନ୍ ୭୦ଟି ଡ଼ିଭିଜନରେ ଦୁଇ ହଜାର ସଂଖ୍ୟକ ଏଭଳି ମେସିନର ସ୍ଥାପନା କରାଯିବ । ମେସିନ ସ୍ଥାପନା କରିବାର ଠିକା ଆଠବର୍ଷ ପାଇଁ ଦିଆଯିବ । ଯୋଜନାକୁ ସଫଳ କରିବା ପାଇଁ ସିଏସଆର ଫଣ୍ଡ ବ୍ୟବହାର କରାଯିବ ।

ସୂଚନା ଯୋଗ୍ୟ ଯେ, ରେଳଷ୍ଟେସନ ଗୁଡ଼ିକରେ ବ୍ୟବହାର ପରେ ଫିଙ୍ଗି ଦିଆଯାଇଥିବା ବୋତଲ ଗୁଡ଼ିକୁ ସଂଗ୍ରହ କରି ଆଣି ସେଥିରେ ପୁଣି ପାଣି ଭର୍ତ୍ତି ସହ ବିକ୍ରୀ କରାଯିବାର ବେଆଇନ କାରବାର ବ୍ୟାପକ ଆକାର ଧାରଣ କରିଛି । ଷ୍ଟେସନ ଗୁଡ଼ିକରେ ବୋତଲ ଭାଙ୍ଗିବା ପାଇଁ ମେସିନ ଲଗାଗଲେ ପୁରୁଣା ବୋତଲ ଗୁଡ଼ିକ ଖଣ୍ଡ ଖଣ୍ଡ କରି ଦିଆଯିବ ଓ ଅନ୍ୟାନ୍ୟ ପ୍ଲାଷ୍ଟିକ ଦ୍ରବ୍ୟ ତିଆରିର କଂଚାମାଲ ରୂପେ ବ୍ୟବହାର ହୋଇପାରିବ ।

  • Tags:

Subscribe

National International State Sports Entertainment