ଭୟଙ୍କର ତିତଲି: ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସର୍ବାଧିକ କ୍ଷୟକ୍ଷତି, ବିଭିନ୍ନ ନଦୀରେ ଜଳପତନ ବୃଦ୍ଧି
Khabar Odisha:Odishas-Ganjam-Gajapati-struck-by-massive-storm-heavy-rains
ଗଜପତି/ଗଞ୍ଜାମ, ୧୧ ଅକ୍ଟୋବର (ଖବର ଓଡ଼ିଶା):

 ଘୂର୍ଣ୍ଣିଝଡ଼ ତିତଲି ପ୍ରଭାବରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି, ଛତ୍ରପୁର ଆଦି ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଜିଲ୍ଲାରେ ବ୍ୟାପକ ଫସଲ ହାନି ଘଟିଛି । ଋଷିକୂଲ୍ୟା, ବଡନଦୀ, ବାହୁଦା, ଘୋଡ଼ାହାଡ, ବଂଶଧାରା ନଦୀର ଜଳପତନ ବୃଦ୍ଧି ପାଇଛି । ପାରଳାଖେମୁଣ୍ଡି ଓ ମୋହନାରେ ଗତ ରାତିରୁ ପବନ ସାଙ୍ଗକୁ ବର୍ଷା ଲାଗି ରହିଛି । 

ଆଜି ଭୋର୍ ସାଢ଼େ ୪ଟାରୁ ୬ଟା ମଧ୍ୟରେ ଜୋରଦାର୍ ପବନ ହୋଇଥିଲା । ପୁଣି ସକାଳ ୮ଟାରୁ ୧୦ଟା ମଧ୍ୟରେ ବଢିଥିଲା ପବନର ବେଗ । ଏହି ସମୟରେ ପବନର ବେଗ ଘଂଟା ପ୍ରତି ଶହେରୁ ଉର୍ଦ୍ଧ୍ୱ ଥିବା କୁହାଯାଉଛି । ପ୍ରବଳ ବର୍ଷା ଯୋଗୁଁ ଲେଡ଼ବନ୍ଧ ନଦୀର ଜଳ ପତନ ବୃଦ୍ଧି ପାଇଛି । କେତେକ ସ୍ଥାନରେ ରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ହେଉଛି । ବଡ ବଡ ଗଛସବୁ ଭାଙ୍ଗି ରାସ୍ତା ଉପରେ ପଡିଛି । ଏଥିପାଇଁ ବ୍ରହ୍ମପୁର-ରାୟଗଡ଼ା ମଧ୍ୟରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି । ସେହିପରି ଅଠରନଳା ପୋଲ ଉପରେ ୫ ଫୁଟ୍ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଛି । ମୋହନା ଠାରୁ ଅନ୍ତରବା ଓ ଗୁମିଗୁଡା ସମେତ ୮ଟି ପଚାଂୟତକୁ ଯୋଗାଯୋଗ ବିଛିନ୍ନ ହୋଇଛି ।

ଅନେକ ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡି ରାସ୍ତା ଉପରେ ପଡିଛି । ଶତାଧିକ ସଂଖ୍ୟାରେ ଘରର ଛପର ଉଡି ଯାଇଛି । ଝାଟିମାଟି ଘର ଭାଙ୍ଗି ଯାଇଛି । ପାରଳାଖେମୁଣ୍ଡିରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ବିଦ୍ୟୁତ ଖୁଂଟ ଓ ଟେଲିଫୋନ୍ ଖୁଂଟ ଭାଙ୍ଗି ପଡିଥିବାରୁ ବିଦ୍ୟୁତ ସେବା ଓ ଟେଲି ଯୋଗାଯୋଗ ପ୍ରଭାବିତ ହୋଇଛି । ଗତକାଲି ବସ୍ତି ଅଂଚଳରୁ ଶତାଧିକ ଲୋକଙ୍କୁ ଉଦ୍ଧାର କରାଯାଇ ପ୍ରଶାସନ ପକ୍ଷରୁ ୭ଟି ଆଶ୍ରୟସ୍ଥଳିରେ ରଖାଯାଇଛି । ଆବଶ୍ୟକ ସ୍ଥଳେ ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ଏନଡିଆରଏଫ ଓ ଓଡ୍ରାଫ୍ ଟିମ୍ ଉଦ୍ଧାର କାର୍ଯ୍ୟକୁ ଜୋରଦାର୍ କରିଛନ୍ତି । ରାସ୍ତାରୁ ଭାଙ୍ଗି ପଡିଥିବା ଗଛ ଓ ଡାଳ ଗୁଡିକୁ ହଟାଯାଉଛି । ଖୁବ୍ ଶୀଘ୍ର ଯୋଗାଯୋଗ ସ୍ୱାଭାବିକ୍ ହେବ ବୋଲି ଆଶା କରାଯାଉଛି ।

Subscribe

National International State Sports Entertainment