୫୦୦ ଟଙ୍କା ଲାଞ୍ଚ ନଦେବାରୁ ଫିଟନେସ ସାର୍ଟିଫିକେଟକୁ ଚିରି ଫୋପାଡିଲେ ଡାକ୍ତର, ଭିଡିଓ ଭାଇରାଲ
Khabar Odisha:Odisha-Viral-video
ଟିଟିଲାଗଡ,୧୨ଜୁଲାଇ(ଖବର ଓଡିଶା):

 ରାଜ୍ୟର ବିଭିନ୍ନ ବିଭାଗରେ ପିସି କାରବାର ଓ ଲାଞ୍ଚ ରୋକିବାକୁ ସରକାର ବହୁ ନିୟମ ଲାଗୁ କଲେଣି। ଜନ ସାଧାରଣଙ୍କୁ ମଧ୍ୟ ଏପ୍ରତି ସଚେତନ ହେବା ସହ କୌଣସି ସରକାରୀ ଅଧିକାରୀ ପିସି ମାଗିଲେ ଜାରି କରାଯାଇଥିବା ଟୋଲ ଫ୍ରି ନମ୍ବରରେ ଜଣାଇବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି । କିନ୍ତୁ ଚାକିରି ପାଇଁ ଆବଶ୍ୟକ ଫିଟନେସ୍ ସାର୍ଟିଫିକେଟ ମାଗି ହଇରାଣରେ ପଡିଛନ୍ତି କେତେ ଜଣ ଯୁବକ। ୫୦୦ ଟଙ୍କା ଲାଞ୍ଚ ନଦେବାରୁ ଡାକ୍ତର ତାଙ୍କ ଫିଟନେସ୍ ସାର୍ଟିଫିକେଟକୁ ଚିରି ଫୋପାଡି ଦେଇଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଛି ।

ମିଳିଥିବା ସୂଚନାନୁସାରେ, ଟିଟିଲାଗଡର ସଇଁନ୍ତଳା ନିକଟବର୍ତୀ ରେଙ୍ଗାଲି ଗ୍ରାମର ତିନି ଜଣ ଛାତ୍ରଙ୍କ ଚାକିରି ପାଇଁ ଫିଟନେସ ସାର୍ଟିଫିକେଟ ଅତ୍ୟନ୍ତ ଜରୁରୀ ଥିଲା । ଏଥିପାଇଁ ସେମାନେ ଟିଟିଲାଗଡ ସବଡିଭିଜନାଲ ମେଡିକାଲକୁ ଆସିଥିଲେ। ସେହି ସମୟରେ ଡ୍ୟୁଟିରେ ଥିବା ଡାକ୍ତର କୃଷ୍ଣ ଚନ୍ଦ୍ର ପାଲଙ୍କୁ ତିନି ଛାତ୍ରଙ୍କ ଫିଟନେସ ସାଟିଫିକେଟ୍ ତିଆରି କରିଦେଇଥିଲେ । କିନ୍ତୁ ଏଥିପାଇଁ ସେ ଜଣଙ୍କୁ ୫୦୦ ଟଙ୍କା ହିସାବରେ ୧୫୦୦ ଟଙ୍କା ମାଗିଥିଲେ। ତେବେ ସମାନ୍ୟ ସାଟିଫିକେଟ ପାଇଁ ଏତେ ଟଙ୍କା ଲାଞ୍ଚ ଦେବାକୁ ଛାତ୍ର ମାନେ ଅରାଜି ହେବାରୁ ଡାକ୍ତର ସମସ୍ତ ତିନୋଟି ସାର୍ଟିଫିକେଟକୁ ଚିରି ଫୋପାଡି ଦେଇ ଡଷ୍ଟବିନରେ ପକାଇ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଘଟଣା କ୍ରମକୁ ମୋବାଇଲରେ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। 

ତେବେ ସାମାନ୍ୟ ସାଟିଫିକେର୍ଟ ପାଇଁ ଯେଉଁଠି ୫୦୦ ଟଙ୍କା ଲାଞ୍ଚ ମଗାଯାଉଛି, ସେଠି ରୋଗୀଙ୍କ ଜରୁରୀକାଳୀନ ଚିକିତ୍ସା ପାଇଁ କେତେ ଟଙ୍କା ନେଇ ପକେଟ ଗରମ କରାଯାଉଥିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଠି ହୋଇଛି । ଅପରପକ୍ଷରେ ଏହି ଭିଡିଓ ଭାଇରାଲ ହେବା ପରେ ସଂପୃକ୍ତ ଡାକ୍ତରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି।  

  • Tags:

Subscribe

National International State Sports Entertainment