ରାଜ୍ୟରେ ବନ୍ୟା ସମୀକ୍ଷା ପାଇଁ ୩ ଜଣିଆ ଟିମ୍‌ ଗଠନ କଲା ବିଜେପି
Khabar Odisha:Odisha-BJP-stand-3-member-to-review-damages-caused-by-Cyclone-Titli
ଭୁବନେଶ୍ୱର,୧୨ ଅକ୍ଟୋବର(ଖବର ଓଡ଼ିଶା):

 ରାଜ୍ୟ ସରକାରଙ୍କ ପରେ ଅନୁରୂପ ଉପାୟରେ ତିତଲି ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି ରାଜ୍ୟ ବିଜେପି। ପ୍ରଭାବିତ ତିନୋଟି ଜିଲ୍ଲା ଗଞ୍ଜାମ, ଗଜପତି ଓ ରାୟଗଡାରେ ବନ୍ୟା ସମୀକ୍ଷା ପାଇଁ ଶୁକ୍ରବାର ବିଜେପି ପକ୍ଷରୁ ତିନି ଜଣିଆ ଟିମ୍‌ ଗଠନ କରାଯାଇଛି। ଟିମ୍‌ରେ ଭୃଗୁ ବକ୍ସିପାତ୍ର, ପୃଥ୍ୱୀରାଜ ହରିଚନ୍ଦନ ଓ ସମୀର ମହାନ୍ତି ଅଛନ୍ତି। ସେମାନେ ପ୍ରଭାବିତ ଜିଲ୍ଲାକୁ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରିବେ।  

ଅନ୍ୟପକ୍ଷେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସାମୁଦ୍ରିକ ଝଡ ତିତଲି ଓ ପରବର୍ତୀ ପ୍ରବଳ ବର୍ଷା ଜନିତ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଲୋକମାନଙ୍କୁ ରାଜ୍ୟର ଯୁବବର୍ଗ ଆଗେଇ ଆସି ସହଯୋଗର ହାତ ବଢାଇବା ପାଇଁ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଆହ୍ୱାନ କରିଛନ୍ତି। ଏହାସହ ଗାଁ ଗାଁ ପର୍ଯ୍ୟନ୍ତ ବିଜେପିର କାର୍ଯ୍ୟକର୍ତା ମାନେ ଦୁର୍ଦ୍ଦିନର ସାମ୍ନା କରୁଥିବା ଲୋକମାନଙ୍କୁ ସହଯୋଗର ହାତ ବଢାଇବା ପାଇଁ ଦଳ କାମରେ ଲାଗିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । 

ସେହିପରି ଓଡିଶାର ଏହି ଦୁର୍ବିପାକ ସମୟରେ କେନ୍ଦ୍ର ସରକାର ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦେବାପାଇଁ ପ୍ରସ୍ତୁତ । ଗତକାଲି ପ୍ରଧାନମନ୍ତ୍ରୀ , ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ସାକ୍ଷାତ କରି ସବୁ ପ୍ରକାର ସହଯୋଗ ପାଇଁ ଦୃଢ ପ୍ରତିଶୃତି ପାଇଛନ୍ତି । ଏନଡିଆରଏଫ ତରଫରୁ ବାତ୍ୟା ଓ ବନ୍ୟା ପରିସ୍ଥିତିରେ ସ୍ଥାନୀୟ ପ୍ରଶାସନକୁ ଉଚିତ ସହାୟତା ଯୋଗାଇ ଦେଇଥିବା ସମୀର ମହାନ୍ତି କହିଛନ୍ତି । 

ପ୍ରକାଶ ଥାଉ କି, ରାଜ୍ୟ ସରକାର ମଧ୍ୟ ବନ୍ୟା ସମୀକ୍ଷା ନେଇ ତିନି ଜଣିଆ ମନ୍ତ୍ରିସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟିରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି, ଗୃହ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଅଛନ୍ତି। ଶ୍ରୀ ମହାନ୍ତି ଏହି କମିଟିର ଅଧ୍ୟକ୍ଷ ଅଛନ୍ତି। ବାତ୍ୟା ତିତଲି ଦ୍ୱାରା ବ୍ୟାପକ ପ୍ରଭାବିତ ହୋଇଥିବା ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଲାକୁ ଯିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ତିନି ମନ୍ତ୍ରୀ ପ୍ରଭାବିତ ଅଞ୍ଚଳକୁ ଯାଇ ପୁନରୁଦ୍ଧାର କାମ ଅନୁଧ୍ୟାନ କରିବା ସହ ତୁରନ୍ତ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ମଧ୍ୟ ତଦାରଖ କରିବେ।    

Subscribe

National International State Sports Entertainment