ମିଶନ- ୧୫୦ ନେଇ ଗୁଜରାଟରେ ବିଜେପିର ପ୍ରସ୍ତୁତି, ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ଲଢ଼ିବ ନିର୍ବାଚନ
Khabar Odisha: Mission-150-BJP-start-preparation-without-CM-face

ଅହମ୍ମଦାବାଦ,ମାର୍ଚ୍ଚ୨୦(ଖବର ଓଡ଼ିଶା): ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ପରେ ଗୁଜରାତ ମିଶନକୁ ନେଇ ଏବେଠୁ ବିଜେପି ପ୍ରସ୍ତୁତି ଆରମ୍ଭ କରିଦେଇଛି। ମିଶନ ୧୫୦କୁ ନେଇ ପ୍ରସ୍ତୁତି କରିବାକୁ ପାର୍ଟି କାର୍ୟ୍ୟକର୍ତ୍ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସବୁଠୁ ମହତ୍ଵପୂର୍ଣ୍ଣ କଥା ୨୦୧୮ରେ ହେବାକୁ ଥିବା ଗୁଜରାତ ବିଧାନସଭା ନିର୍ବାଚନରେ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନଦେବାକୁ ନିଷ୍ପତ୍ତି ନେଇଛି। ଏହା ହେଲେ  ଦୀର୍ଘ ୨୨ ଵର୍ଷ ପରେ ପ୍ରଥମ ଘଟଣା ହେବ ଯେଉଁଠି ବିଜେପି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନୀ ମଇଦାନକୁ ଓହ୍ଲାଇବ।
 
ସୂଚନାଯୋଗ୍ୟ, ୧୯୯୫ଠୁ ଏପର୍ୟ୍ୟନ୍ତ ବିଜେପି ଗୁଜରାତ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଚେହେରା ପ୍ରୋଜେକ୍ଟ କରିଆସିଛି। କିନ୍ତୁ ଏହି ନିର୍ବାଚନରେ ଦଳ ମୁଖ୍ୟମନ୍ତ୍ରୀ ଚେହେରା ନଦେବାକୁ ନିଷ୍ପତ୍ତି ନେଇଛି। ଏହା ସହ ଦଳ ବିଜୟୀ ହେଲେ ଉପମୁଖ୍ୟମନ୍ତ୍ରୀ ପଦ ଦେବାକୁ ସ୍ଥିର କରିଛି। ଏହାକୁ ଧ୍ୟାନରେ ରଖି ବିଜେପି ୟୁପିରେ ମିଶନ ୩୦୦ ସ୍ଲୋଗାନ ପରି ଗୁଜରାତରେ ମିଶନ ୧୫୦ ସ୍ଲୋଗାନ ଦେଇଛି।
 
ସୂଚନା ଅନୁସାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ନିର୍ବାଚନ କରାଯିବାକୁ ନେଇ ଅଟକଳ ଆରମ୍ଭ ହୋଇଯାଇଛି। ଏହାକୁ ଧ୍ୟାନରେ ରଖି ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗୁଜରାତର ମୋଟ ବିଧାନସଭା ସିଟ ସଂଖ୍ୟା ୧୮୨। ୨୦୧୨ ନିର୍ବାଚନରେ ବିଜେପି ୧୨୩ଟି ସିଟରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୫୬, ଏନସିପି ୨ ଓ ଜେଡ଼ିୟୁ ଗୋଟିଏ ସିଟରେ ବିଜୟୀ ହୋଇଥିଲା।
 

Leave a Reply

Your email address will not be published. Required fields are marked *



Comments