କଥାରେ ହିରୋ, କାମରେ ଜିରୋ ! ସତ ଖୋଲିଦେଲେ ମୁଖ୍ୟ ଶାସନ ସଚିବ ,‘ଏମିତି ହେବ ଜାଣିନଥିଲୁ’
Khabar Odisha:CycloneTitli-Odisha-Government-Secretariat
ଭୁବନେଶ୍ୱର, ୧୨ ଅକ୍ଟୋବର(ଖବର ଓଡ଼ିଶା):

ଜିରୋ କାଜୁଆଲିଟି ନେଇ ବାହାସ୍ପୋଟ ମାରିଲେ । ନିଜେ କହିଥିବା କଥାକୁ ଇସ୍ତାହାର ମାଧ୍ୟମରେ ପ୍ରକାଶ କଲେ । ହେଲେ ଫଳ ଶୂନ ହେଲା । ବାତ୍ୟା ପରେ ହୋଇଥିବା ବନ୍ୟାକୁ ମୁକାବିଲା କରିବାରେ ରାଜ୍ୟ ସରକାର ବିଫଳ ହେଲେ । ଲୋକେ ଜଳଘେରରେ ରହି ଦହଗଞ୍ଜ ହେଲେ । ହେଲେ ସରକାର କହିଲେ ଆମେ ସବୁ ପ୍ରକାର ନିଷ୍ପତି ନେଇଛୁ । ସରକାରଙ୍କର ଏହି ବିଫଳତାକୁ କିନ୍ତୁ କହୁ କହୁ କହିଦେଲେ ରାଜ୍ୟ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ । ଶ୍ରୀ ପାଢୀ ଗଣମାଧ୍ୟମରେ କହିଲେ ଯେ, ଏମିତି ହେବ ବୋଲି ଆମେ ଜାଣିନଥିଲୁ ।

ଆଜି ମୁଖ୍ୟ ଶାସନ ସଚିବ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇ କହିଲେ ଯେ, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ବିଶାଖାପାଟଣାରୁ ୨ ଟି ନାଭାଲ ହେଲିକ୍ୟାପ୍ଟର ମଗାଯାଇଛି  । ତିତଲିର ଗତିପଥ ପରିବର୍ତନ ପାଇଁ ରାୟଗଡା ଓ କନ୍ଧମାଳ ଜିଲ୍ଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ ବୋଲି ଅନୁମାନ କରିପାରିନଥିଲୁ ବୋଲି ସେ  ପ୍ରକାଶ କରିଛନ୍ତି । ଅପରପକ୍ଷରେ ସରକାରଙ୍କ ଦୂର ଦୃଷ୍ଟିର ଅଭାବ ପାଇଁ ବାତ୍ୟା ପରବର୍ତୀ ବନ୍ୟା ଦ୍ୱାରା ସାଧାରଣ ଲୋକେ ପ୍ରଭାବିତ ହୋଇଛନ୍ତି  । ବାତ୍ୟା ଭଳି ବନ୍ୟା ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି ନଥିବା ଏହାର ମୁଖ୍ୟ କାରଣ ବୋଲି ବନ୍ୟା ବିପନ୍ନ ଲୋକେ ଅଭିଯୋଗ କରିଛନ୍ତି । ସରକାର ସବୁ ପ୍ରକାର ପ୍ରସ୍ତୁତ ରହିଥିବା କଥା କହିଥିବା ବେଳେ ଗଣମାଧ୍ୟମରେ ବାରମ୍ବାର ସତର୍କ ସତ୍ୱେ ରାଜ୍ୟ ସରକାର ବାତ୍ୟା ପରର ସ୍ଥିତିର ମୁକାବିଲା ପାଇଁ କାହିଁକି ପ୍ରସ୍ତୁତ ନଥିଲେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଏପରିକି ଏ ସରକାର ପ୍ରଚାର ସର୍ବସ୍ୱ ସରକାର ବୋଲି କହିଛି ବିଜେପି । ଏସରକାର କଥାରେ ହିରୋ , ଗ୍ରାଉଣ୍ଡରେ କାମ କରିବାରେ ଜିରୋ ବୋଲି ଦଳର ଉପସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି । ତେବେ ଏପରି ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି ।

ଏଠାରେ ଉଲେଖଯୋଗ୍ୟ ଯେ, ତିତ୍ଲି ଆସୁଥିବା ନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇଥିଲା । ସରକାର ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଥିବା କଥା କହିଲେ । ହେଲେ ବାତ୍ୟା ପରେ ସ୍ଥିତି କିନ୍ତୁ ଓଲଟା ଦେଖିବାକୁ ମିଳିଥିଲା । ସତର୍କ ଜାରି ହୋଇଥିବା ଜିଲାରେ ହଜାର ହଜାର ସଂଖ୍ୟାରେ ଲୋକ ଭୋକ ଉପାସରେ ଜଳବନ୍ଧୀ ଭାବେ ରହିଥିଲେ । ଏପରିକି କେଉଁଠି ଘର ସହ ସାଧାରଣ ଜନତା ଭାସିଗଲେ ତ ଆଉ କେଉଁଠି ଲୋକ ଜଳବନ୍ଧୀର ଘଂଟାଘଂଟା ଧରି ରହିଲେ । ନାଁ ସେମାନଙ୍କ ପାଖରେ ପହଁଚିଲା ପ୍ରଶାସନ । ନା ରିଲିଫ ସାମଗ୍ରୀ । ଏତେସବୁ ଘଟଣାରେ ସାଧାରଣ ଜନତା ହଇରାଣ ହରକତ ହୋଇଥିବା ବେଳେ ମୁଖ୍ୟ ଶାସନ ସଚିବ କିନ୍ତୁ କହିଲେ ଏଭଳି ହେବ ବୋଲି ଅନୁମାନ କରିନଥିଲୁ । ମୁଖ୍ୟଶାସନ ସଚିବଙ୍କ ଏହିପରି ଉକ୍ତି ପରେ ରାଜ୍ୟ ସରକାରଙ୍କ ପ୍ରସ୍ତୁତିର ପାରିବାପଣିଆକୁ ନେଇ ଏବେ ସାଧାରଣରେ ଉଠିଛି ପ୍ରଶ୍ନ । 

Subscribe

National International State Sports Entertainment