ତିନି ଜିଲ୍ଲାର ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଗଂଜାମ ପାଇଁ ଆସୁଛି ୨ଟି ହେଲିକପ୍ଟର, ରନ୍ଧା ଖାଦ୍ୟ ଦେବାକୁ ନିର୍ଦ୍ଦେଶ
Khabar Odisha:CM-reviews-flood-situation-of-gajapati-ganjam-rayagada
ଭୁବନେଶ୍ୱର, ଅକ୍ଟୋବର ୧୨(ଖବର ଓଡ଼ିଶା):

ମୁଖ୍ୟମନ୍ତ୍ରୀ ଆଜି ତିନୋଟି ଜିଲ୍ଲାର ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି । ଗଂଜାମ, ଗଜପତି ଓ ରାୟଗଡ଼ାରେ ଦେଖାଦେଇଥିବା ବନ୍ୟା ସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀ ସଚିବାଳୟରେ ଭିଡ଼ିଓ କନ୍‌ଫରେସିଂ ଜରିଆରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି । ବିପନ୍ନ ଅଂଚଳରେ ୭ ଦିନ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଇ ଦେବା ସହ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର କରି ଲୋକଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଗଂଜାମରେ ଜଳବନ୍ଦୀ ଲୋକଙ୍କୁ ଉଦ୍ଧାର କରିବାକୁ ଦୁଇଟି ହେଲିକପ୍ଟର ବିଶାଖାପାଟଣାରୁ ଅଣାଯାଇଥିବା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି । 

ସାମୁଦ୍ରିକ ଝଡ଼ ତିତ୍‌ଲି ପରେ ରାଜ୍ୟର ବିଭିନ୍ନ ନଦୀର ଜଳ ପତ୍ତନ ବୃଦ୍ଧି ପାଇଛି । ଫଳରେ ଗଂଜାମ, ଗଜପତି ଓ ରାୟଗଡ଼ାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସେ ନେଇ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି । ତେବେ ଗଂଜାମର ସ୍ଥିତି ଅତି ଗମ୍ଭୀର ରହିଛି । ଆସିକା ଓ ପରୁଷୋତ୍ତମପୁରରେ  ହଜାର ହଜାର ବାସିନ୍ଦା ଜଳବନ୍ଦୀ ଭାବେ ରହିଛନ୍ତି । ଲୋକଙ୍କୁ ଉଦ୍ଧାର କରିବାକୁ ବିଶାଖାପାଟଣାରୁ ଦୁଇଟି ହେଲିକପ୍ଟର  ମଗାଇଯାଇଛି । ତିନୋଟି ଜିଲ୍ଲାରେ ଯୋଗାଯୋଗ ଓ ବିଦ୍ୟୁତ ସରବରାହ ବନ୍ଦ ରହିଛି । ରାୟଗଡ଼ାରେ ପାଞ୍ଚ ଶହ ଗଛ ଭାଙ୍ଗି ପଡ଼ିଥିବାରୁ ଯାତାୟତ ଠପ୍‌ ହୋଇଯାଇଛି । ତେଣୁ ସମସ୍ତ ସ୍ଥାନରେ ରାସ୍ତା ମରାମତି ଓ କ୍ଷତିଗ୍ରସ୍ତ ଲୋକଙ୍କୁ ନିରାପଦ ସ୍ଥାନକୁ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଗଜପତିବାସିନ୍ଦା ଆହୁରି ୪ ଦିନ ଯାଏଁ ଅନ୍ଧାରରେ ରହିବ । ସେଠାରେ ବିଦ୍ୟୁତ ସେବାକୁ ଠିକ୍‌ କରିବାକୁ ଚାରି ଦିନ ଲାଗିବ ବୋଲି ଜିଲ୍ଲାପାଳ କହିଛନ୍ତି । ଆଜି ସଂଧ୍ୟା ସୁଦ୍ଧା ପାରଳାଖେମୁଣ୍ଡି ହସ୍ପିଟାଲରେ ବିଦ୍ୟୁତ ସଂଯୋଗ କରାଯିବା ସହ ରାୟଗଡାରେ ୭୨ ଘଂଟାରେ  ବିଦ୍ୟୁତ ସଂଯୋଗ କରାଯିବା ନେଇ ସେ ସୂଚନା ଦେଇଛନ୍ତି । ବିପନ୍ନଙ୍କୁ ୭ ଦିନ ଯାଏ ରନ୍ଧା ଖାଦ୍ୟ ଓ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲି ଲୋକଙ୍କୁ ଆବଶ୍ୟକୀୟ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି କ୍ଷୟକ୍ଷତିର ଆକଳନ କରି ତୁରନ୍ତ ୭ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 

ସେପଟେ ଗଜପତି ଜିଲ୍ଲା ପାଇଁ ଅଧିକ ଓଡ୍ରାଫ ଟିମ୍‌ ମାଗିଛନ୍ତି ଜିଲ୍ଲାପାଳ । ସେହିପରି ଗଂଜାମ ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର । ଆସନ୍ତାକାଲି ଓ ରବିବାର ପାଇଁ ଛୁଟି ବାତିଲ କରାଯାଇଥିବା ଜଳ ସମ୍ପଦ ବିଭାଗ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ପୂର୍ବରୁ ୧୧ ଓ ୧୨ତାରିଖରେ ଛୁଟି ବାତିଲ ହୋଇଥିଲା । 

Subscribe

National International State Sports Entertainment