ସକରାତ୍ମକ ମାହୋଲ ପାଇଁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଶରଣରେ ସିବିଆଇ ଅଧିକାରୀ
Khabar Odisha:cbi-officials-will-attend-art-of-living-workshop-for-enhancing-positivity
ନୂଆଦିଲ୍ଲୀ,ନଭେମ୍ବର୦୯(ଖବର ଓଡ଼ିଶା):

 ନିକଟରେ ବିବାଦରେ ଘେରି  ହୋଇଥିବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ) ଏବେ ସକରାତ୍ମକ ମାହୋଲ ତିଆରି ପାଇଁ କାର୍ଯ୍ୟଶାଳା ଆୟୋଜନ କରୁଛି। ସିବିଆଇର ୧୫୦ ଅଧିକାରୀ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ସଂସ୍ଥା ‘ଆର୍ଟ ଫ ଲିଭିଙ୍ଗ’ କାର୍ଯ୍ୟଶାଳାରେ ସାମିଲ ହେବେ। ସିବିଆଇ ପକ୍ଷରୁ କୁହାଯାଇଛି ଯେ ଅଧିକାରୀଙ୍କ ମଧ୍ୟରେ ତାଳମେଳ ବଢାଇବା ଓ ସକରାତ୍ମକ ଦୃଷ୍ଟିକୋଣ ବିକଶିତ କରିବା ପାଇଁ ତିନି ଦିନିଆ କାର୍ଯ୍ୟଶାଳା ଆୟୋଜନ କରାଯାଉଛି। 

ସିବିଆଇ କହିଛି ଯେ ନଭେମ୍ବର ୧୦, ୧୧ ଓ ୧୨ରେ କାର୍ଯ୍ୟଶାଳା ଆୟୋଜନ ହେବ। ଏଥିରେ ଅଧିକାରୀଙ୍କୁ ସୁସ୍ଥ ବାତାବରଣ ସୃଷ୍ଟି କରି କାମ କରିବା ପାଇଁ ଉତ୍ସାହିତ କରାଯିବ। ଏଥିରେ ୧୫୦ରୁ ଉର୍ଦ୍ଧ୍ଵ ଅଧିକାରୀ ଯୋଗ ଦେବେ। କାର୍ଯ୍ୟକ୍ରମର ଆୟୋଜନ ନୂଆଦିଲ୍ଲୀର ମୁଖ୍ୟାଳୟରେ ହେବ।

ସୂଚନାଯୋଗ୍ୟ ଗତ କିଛି ଦିନରେ ସିବିଆଇ ଆଭ୍ୟନ୍ତରୀଣ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ପଡିଛି। ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ଵତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା ପରସ୍ପର ବିରୋଧରେ ଦୁର୍ନୀତିର ଅଭିଯୋଗ ଆଣିଛନ୍ତି। ଯେଉଁଥିରେ ସିବିଆଇରେ ଅସ୍ଵାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି। ଆଲୋକ ବର୍ମାଙ୍କ ବିରୋଧରେ ସିଭିସିରେ ଦୁର୍ନୀତିର ଅଭିଯୋଗ କରିବା ଏବଂ ପୁଣି ଆସ୍ଥାନାଙ୍କ ବିରୋଧରେ ଲାଞ୍ଚ ନେବା ଅଭିଯୋଗରେ ସିବିଆଇରେ ଏତଲା ଦାୟର କରିବା  ପରେ ସିବିଆଇରେ ଆଭ୍ୟନ୍ତରୀଣ କନ୍ଦଳ ଜୋର ଧରିଥିଲା। 

ଶେଷରେ ସରକାର ସିଧା ସଳଖ ହସ୍ତକ୍ଷେପ କରି ରାତି ଅଧରେ ଦୁଇ ନିର୍ଦ୍ଦେଶକଙ୍କୁ ଦାୟିତ୍ଵରୁ ମୁକ୍ତ କରି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଛୁଟିରେ ପଠାଇ ଦେଇଛନ୍ତି। ବରିଷ୍ଠତା ଆଧାରରେ ଏନ ନାଗେଶ୍ଵର ରାଓଙ୍କୁ ଅନ୍ତରୀଣ ନିର୍ଦ୍ଦେଶକ ଦାୟିତ୍ଵ ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ଆଦେଶ କ୍ରମରେ ମାମଲାର ତଦନ୍ତ କେନ୍ଦ୍ରୀୟ ସତର୍କତା ବିଭାଗ(ସିଭିସି) କରୁଛି। 

Subscribe

National International State Sports Entertainment