ବିଜେଡ଼ିର ୪ ନୂଆ ମୁଖପାତ୍ର, ବାଦ୍‌ ପଡ଼ିଲେ ଅମର ଶତପଥୀ
Khabar Odisha:BJD-appoints-4-new-spokes-persons
ଭୁବନେଶ୍ୱର, ଅକ୍ଟୋବର ୧୨(ଖବର ଓଡ଼ିଶା):

ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡ଼ି ବାରମ୍ବାର ସାଙ୍ଗଠିନକ ସ୍ତରରେ ଅଦଳବଦଳ କରୁଛି । କାହାକୁ ନୂଆ ଦାୟିତ୍ୱ ମିଳୁଛି ତ ଆଉ କିଏ ବାଦ୍‌ ପଡ଼ୁଛି । ବାଛି ବାଛି ଦଳର ପୁରୁଖା ନେତାଙ୍କୁ ଦାୟିତ୍ୱ ଦେଉଛନ୍ତି ମୁଖିଆ । ଆଜି ପୁଣି ଥରେ ସାଙ୍ଗଠନିକ ସ୍ତରରେ ଅଦଳବଦଳ କରି ୪ ଜଣ ସଦସ୍ୟଙ୍କୁ ନୂତନ ମୁଖପାତ୍ରଭାବେ ନିଯୁକ୍ତ କରିଛନ୍ତି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନେ ହେଲେ ମହାକାଳପଡ଼ା ବିଧାୟକ ଅତନ୍ୟୁ ସବ୍ୟସାଚୀ ନାୟକ, ଦଳରେ ନୂଆ କରି ଯୋଗ ଦେଇଥିବା ଅମର ପଟ୍ଟନାୟକ, ପୁଷ୍ପେନ୍ଦ୍ର ସିଂହ ଦେଓ ଓ ଦେବାଶିଷ ମାରାଣ୍ଡି । ଅନ୍ୟପକ୍ଷରେ ଅମର ପ୍ରସାଦ ଶତପଥୀ ମୁଖପାତ୍ର ପଦରୁ ବାଦ ପଡ଼ିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ୪ ଜଣଙ୍କୁ ନୂତନ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛନ୍ତି । ଏହାକୁ ମିଶାଇ ଏବେ ବିଜେଡ଼ିର ମୁଖପାତ୍ର ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ତାଲିକାରେ ଅଛନ୍ତି ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ପ୍ରଶାନ୍ତ ନନ୍ଦ, ଦେବାଶିଷ ସାମନ୍ତରାୟ, ଡ. ଅରୁଣ ସାହୁ, ରବି ନାରାୟଣ ନନ୍ଦ, ସମୀର ଦାସ, ସସ୍ମିତ ପାତ୍ର, ସୁଲୋଚନା ଦାସ, ଅତନ୍ୟୁ ସବ୍ୟସାଚୀ ନାୟକ, ଅମର ପଟ୍ଟନାୟକ, ପୁଷ୍ପେନ୍ଦ୍ର ସିଂହ ଦେଓ ଓ ଦେବାଶିଷ ମାରାଣ୍ଡି । ପୂର୍ବରୁ ବିଜେଡ଼ିର ମୁଖପାତ୍ର ସଂଖ୍ୟା ୧୦ ଥିଲା । ତେବେ ତାଲିକାରୁ ବାଦ୍‌ ପଡ଼ିଥିବା ଅମର ଶତପଥୀଙ୍କୁ କିଛି ନୂଆ ଦାୟିତ୍ୱ ମିଳିପାରେ ବୋଲି ରାଜନୈତିକ ସ୍ତରରେ ଆଲୋଚନା ଚାଲିଛି ।

Subscribe

National International State Sports Entertainment