ପୁରୀ, ଡିସେମ୍ବର ୦୬(ଖବର ଓଡ଼ିଶା):
ଓଡିଶାର ସଂସ୍କୃତି, ପରମ୍ପରା ଓ ଓଡିଆଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ଜେଲ ଯାଇଥିବା ଅଣ ଓଡ଼ିଆ ସାମ୍ବାଦିକ ଅଭିଜିତ୍ ଆୟାର ମିତ୍ରଙ୍କୁ ଗତକାଲି ହାଇକୋର୍ଟରୁ ଜାମିନ୍ ମିଳିବା ପରେ ଆଜି କୋଣାର୍କ ଜେଏମଏଫସି କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ଭବିଷ୍ୟତରେ ଓଡ଼ିଶା ପ୍ରତି ଆଉ ଅରୁଚିକର ମନ୍ତବ୍ୟ ନଦେବା ଓ ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଏହି ଜାମିନ ମିଳିଛି।
ଅଭିଜିତ୍ ଆୟାର ମିତ୍ରଙ୍କ ଓଡିଶାର ଐତିହ୍ୟ ପ୍ରତି ଅରୁଚିକର ମନ୍ତବ୍ୟକୁ ନେଇ ଭୁବନେଶ୍ୱର ଶହୀଦ ନଗର ଓ କୋଣାର୍କ ଥାନାରେ ମାମଲା ରୁଜୁ ହୋଇଥିଲା। ଅନ୍ୟପକ୍ଷେ ବିଧାୟକଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଥିବାରୁ ତାଙ୍କୁ ବିଧାନସଭା ଗୃହ କମିଟି ପକ୍ଷରୁ ନୋଟିସ କରାଯାଇଥିଲା। ଏହି ମାମଲାରେ ଅଭିଜିତ୍ ଗୃହ କମିଟି ଆଗରେ ହାଜର ହୋଇ କ୍ଷମା ମାଗିବା ପରେ ଗତ ୧୬ ତାରିଖରେ କମିଟି ତାଙ୍କୁ କ୍ଷମା ଦେଇଥିଲା। ଏହାପରେ ସଙ୍ଗେସଙ୍ଗେ ଅନ୍ୟ ଦୁଇଟି ମାମଲାରେ ଶହୀଦ ନଗର ଥାନା ପୋଲିସ ଅଭିଜିତଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଆଧାରରେ ତାଙ୍କୁ ଗିରଫ କରିଥିଲା। ଜାମିନ ନମିଳିବାରୁ ତାଙ୍କୁ ଜେଲ ପଠାଇ ଦିଆଯାଇଥିଲା।
ଏଠାରେ ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱର ଏସଡିଜେଏମ ଅଦାଲତରେ ବିଚାରାଧୀନ ମାମଲା ସହିତ କୋଣାର୍କ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ବିଚାରାଧୀନ ମାମଲାରେ ଜାମିନ ଲୋଡ଼ି ଅଭିଜିତ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଦୁଇଟି ପୃଥକ ଆବେଦନ ଦାୟର କରିଥିଲେ। ହାଇକୋର୍ଟ ମଧ୍ୟ ତାଙ୍କୁ ଗତକାଲି ଜାମିନ ପ୍ରଦାନ କରିଥିଲେ। ସେହିପରି ଅଭିଜିତ ତାଙ୍କ ଉପରୁ ସମସ୍ତ ଫୌଜାଦାରୀ ମାମଲା ପ୍ରତ୍ୟାହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ।ଏହାର ବିଚାର କରି ମଙ୍ଗଳବାର ରାଜ୍ୟ ସରକାର ତାଙ୍କୁ କ୍ଷମା ପ୍ରଦାନ କରିଥିଲେ।