କିରୋସିନି ବଣ୍ଟନ ବେଳେ ସରକାରୀ ସମିତି କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ୧୫ ଜଣ
Khabar Odisha: 15-killed-in-fire-explosion-in-Chhindwara-from-arson

ଭୋପାଳ,ଏପ୍ରିଲ୨୧(ଖବର ଓଡ଼ିଶା): ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡ଼ା ଜିଲ୍ଲାର ହରଇ ଅନ୍ତର୍ଗତ ସୁଦୂର ବାରଗୀର  ସରକାରୀ ସମିତି କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୫ ଲୋକ ଜୀଅନ୍ତା ଜଳିଯିବା ସହ ୪ ଜଣ ଆହତ ହୋଇଛନ୍ତି। କିରୋସିନି ଓ ରାସନକାର୍ଡ ବଣ୍ଟନ ସମୟରେ କିରୋସିନିରେ ନିଆଁ ଲାଗିଯିବାରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣା ଶୁକ୍ରବାର ଅପରାହ୍ନ ସାଢ଼େ ୪ଟାରେ ଘଟିଛି। ଘଟଣା ସମୟରେ କେନ୍ଦ୍ରରେ ବହୁ ସଂଖ୍ୟାରେ ଲୋକ  ଉପସ୍ଥିତ ଥିଲେ।

ସୂଚନା ଅନୁସାରେ, ଛିନ୍ଦଓ୍ଵାଡ଼ା-ନରସିଂହପରୁ ମାର୍ଗ ଉପରେ ଜିଲ୍ଲା ମୁଖ୍ୟାଳୟଠୁ ପ୍ରାୟ ୯୦ କିମି ଦୂରରେ ଅବସ୍ଥିତ ହରଇର ବାରଗୀ ସମିତି କେନ୍ଦ୍ରରେ କିରୋସିନି ଓ ଚାଉଳ ବଣ୍ଟା ଯାଉଥିଲା। ଅଚାନକ ଅପରାହ୍ନ ସାଢ଼େ ୪ଟାରେ ସମିତି କେନ୍ଦ୍ରରେ ରଖାଯାଇଥିବା କିରୋସିନି ଡବା ଓ ଖାଦ୍ୟ ସାମଗ୍ରୀ ନିଆଁ ଲାଗିଯାଇଥିଲା। ଏହି ସମୟରେ ୩୦ରୁ ଉର୍ଦ୍ଧ୍ଵ ଲୋକ ଭିତରେ ଥିଲେ। କେହି କିଛି ବୁଝିବା ପୂର୍ବରୁ ସମଗ୍ର କୋଠରୀରେ ଭୀଷଣ ନିଆଁ ଲାଗିଯାଇଥିଲା। ଭିତରେ କେବଳ ଲୋକଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା। ଯେଣେ ତେଣେ ପ୍ରକାରେ କିଛି ଲୋକ ବାହାରକୁ ବାହାରିରେ ସକ୍ଷମ ହୋଇଥିଲେ। ମାତ୍ର ଭିତରେ ୧୫ ଜଣ ଜୀବନ୍ତ ଜଳିଯାଇଥିଲେ। କୋଠରୀ ଭିତରେ ପରିସ୍ଥିତି ଭୟଙ୍କର ରୂପ ନେଇଥିଲା।

ଅତିରିକ୍ତ ଏସପି ନିରଜ ସୋନୀଙ୍କ ମୁତାବକ, ଘଟଣାର କାରଣ ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ଯେତେବେଳେ ଏହି ଦୁର୍ଘଟଣା ଘଟିଲା ସେହି ସମୟରେ କୋଠରୀରେ ପ୍ରାୟ ୩୦ ରୁ ଉର୍ଦ୍ଧ୍ଵ ଲୋକ ଉପସ୍ଥିତ ଥିଲେ। ଘଟଣାର ସୂଚନା ମିଳିବା ମାତ୍ରେ ହିଁ ଏସପି ଗୌରବ ତିଓ୍ଵାରୀ ଓ ଡେପୁଟୀ କଲେକ୍ଟର ଆଲୋକ ଶ୍ରୀବାସ୍ତବ ଘଟଣାସ୍ଥଳରେ ପହଞ୍ଚିଥିଲେ। କୃଷି କଲ୍ୟାଣ ମନ୍ତ୍ରୀ ଗୌରୀଶଙ୍କର ବିସେନ ଘଟଣାର  ବିଚାରବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଓ ଆହତଙ୍କୁ ୨-୨ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ, ଯେଉଁ କେନ୍ଦ୍ରରେ ଏହି  ଭୟଙ୍କର ଦୁର୍ଘଟଣା ଘଟିଲା, ସେଠାରେ ଡ୍ରମରେ ୩୦୦ ରୁ ୪୦୦ ଲିଟର ଡ୍ରମରେ କିରୋସିନି ଭର୍ତ୍ତି ହୋଇଥିଲା ଏବଂ ଖାଦ୍ୟ ସାମଗ୍ରୀ ରଖାଯାଇଥିଲା। ଏହି ଘଟଣାରେ କୋଠରୀ ଭିତରୁ କେବଳ କିଛି ଲୋକ କେବଳ ବାହାରକୁ ବାହାରିବାରେ ସକ୍ଷମ ହୋଇଥିଲେ।

Leave a Reply

Your email address will not be published. Required fields are marked *



Comments