ଟିଟୋ ସାମ୍ରାଜ୍ୟରେ ରାଜନୈତିକ ଲିଙ୍କ୍ ! ଚର୍ଚ୍ଚାରେ ବିଧାୟକ ଓ ସାଂସଦ, କେନ୍ଦ୍ରାପଡା ଓ ଯାଜପୁର ନେତାଙ୍କ ମଧ୍ୟରେ କମ୍ପନ
Khabar Odisha:
କେନ୍ଦ୍ରାପଡା, ଜୁଲାଇ ୧୨(ଖବର ଓଡିଶା):

ଟିଟୋ ସାମ୍ରାଜ୍ୟରେ ରହିଛି କି ରାଜନୈତିକ ଲିଙ୍କ୍ ? କାହାର ଛତ୍ରଛାୟା ତଳେ ଟିଟୋ ବିସ୍ତାର କରିଥିଲା ତାର ସାମ୍ରାଜ୍ୟ ? ଟିଟୋର ଏହି ସାମ୍ରାଜ୍ୟର ଚେର କେମିତି ଜାଣିପାରୁ ନ ଥିଲେ କେହି ? ଏପରି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି  । ଅନ୍ୟପଟେ ଟିଟୋର କେଉଁଠି ଲିଙ୍କ୍ ରହିଛି ଏନେଇ ତଦନ୍ତକାରୀ ସଂସ୍ଥା ଖୋଳତାଡ ଆରମ୍ଭ କରିଦେଇଛି  । ଏପରିକି ଟିଟୋର ସାମ୍ରାଜ୍ୟ ପଛରେ ଯାଜପୁର ଓ କେନ୍ଦ୍ରାପଡା ଜିଲାର କିଛି ବିଧାୟକ, ସାଂସଦ ଓ ନେତାଙ୍କର ଲିଙ୍କ୍ ରହିଥିବା ନେଇ ଏବେ ଉଭୟ ଜିଲାରେ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି  । ତେବେ ଏପରି ସ୍ଥିତିରେ ଖୋଲିବକି ଭାନୁମତୀ ପେଡି....ଯେଉଁ ରାଜନୈତିକ ନେତାଙ୍କର ଛତ୍ରଛାୟା ତଳେ ଯଦି ସାମ୍ରାଜ୍ୟ ଚାଲିଥିଲା ତାହାହେଲେ ସେମାନଙ୍କ ନିକଟରେ ପହଁଚିପାରିବ ତ ତଦନ୍ତକାରୀ ସଂସ୍ଥା  । ଏପରି ନାନା ପ୍ରଶ୍ନକୁ ନେଇ ଚର୍ଚ୍ଚା ଆଲୋଚନା ହୋଇଥିବା ବେଳେ ଏବେ ଏହି ଦୁଇ ଜିଲାର ନେତାଙ୍କ ମଧ୍ୟରେ ଏକପ୍ରକାର କମ୍ପନ ସୃଷ୍ଟି ହୋଇଥିବା ନେଇ ସବୁଠି ଆଲୋଚନା ହେଉଛି  ।

ଅନ୍ୟପଟେ ତଦନ୍ତକାରୀ ସଂସ୍ଥା ଏବେ ଗୋଟିଏ ପରେ ଗୋଟିଏ ଚେର ଖୋଜିବାରେ ଲାଗିଛି  । ଟିଟୋର ଓଲିଉଡ ଲିଙ୍କ୍ ଥିବାର ସୁରାକ ମଧ୍ୟ ମିଳିଛି  ।  ସେପଟେ କିନ୍ତୁ କିଛି ଅଧିକାରୀଙ୍କ ଠାରୁ ଅଧିକ ତଥ୍ୟ ପାଇବା ପାଇଁ ତଦନ୍ତକାରୀ ସଂସ୍ଥା ସେମାନଙ୍କୁ ନୋଟିସ ଜାରି କରିଥିବା ଏବେ ଚର୍ଚ୍ଚା ହେଉଛି   । ଏପରିକି ଟିଟୋର ସାମ୍ରାଜ୍ୟ ରାଜ୍ୟ ଓ ରାଜ୍ୟ ବାହାରେ ରହିଥିବା କୁହାଯାଉଥିବା ବେଳେ ଚର୍ଚ୍ଚାରେ କିନ୍ତୁ ଆସିଛି ଏହି ଦୁଇ ଜିଲା  । ବିଶେଷ କରି ବଡଚଣା, ଚଣ୍ଡିଖୋଲ ଅଞ୍ଚଳରୁ ଟିଟୋର ଗିରଫକୁ ନେଇ ଏବେ ସାଧାରଣରେ ନାନା ପ୍ରଶ୍ନ ଉଙ୍କି ମାରୁଛି  ।

ଗତ ୩୦ ତାରିଖରେ କେନ୍ଦ୍ରାପଡା ଜିଲ୍ଲାର ଗ୍ୟାଙ୍ଗଷ୍ଟାର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀକୁ ଏନକାଉଣ୍ଟର କରାଯାଇଥିଲା  । ଯାଜପୁର ଚଣ୍ଡିଖୋଲ ନିକଟରେ ଟିଟୋକୁ ଏସଟିଏଫ ପକ୍ଷରୁ ଏନକାଉଣ୍ଟର କରାଯାଇଥିଲା  । କେନ୍ଦ୍ରାପଡାର ଦୁର୍ଦ୍ଦାନ୍ତ ଅପରାଧୀ ଭାବେ ଜଣାଶୁଣା ଟିଟୋ ନାଁରେ ବହୁ ଟେଣ୍ଡର ଫିକ୍ସି, ଡକାୟତି, ହତ୍ୟା କରିବା ଭଳି ଅନେକ ଅପରାଧ ମାମଲାରେ ସପୃକ୍ତି ରହିଥିବାର ଅଭିଯୋଗ ଅଛି  ।  ଏପରିକି ଯାଜପୁର ଜିଲା ଓ କେନ୍ଦ୍ରାପଡା ଜିଲାରେ ହେଉଥିବା ଠିକାଦାରୀ କାମ ଉପରେ ମଧ୍ୟ ସେ ହସ୍ତକ୍ଷେପ କରୁଥିବାର ଅଭିଯୋଗ ଆସିଥିଲା  । ସିଧାସଳଖ ଭାବେ ନିଦିଷ୍ଟ ରାଜନୈତିକ ଦଳର ନେତାଙ୍କ ଛତ୍ରଛାୟା ତଳେ ରହି ସେ ତାର ସାମ୍ରାଜ୍ୟ ବିସ୍ତାର କରିଥିଲା ବୋଲି ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି । ଗତ କିଛିଦିନ ଧରି ପୋଲିସ ଆଖିରେ ଧୂଳି ଦେଇ ବୁଲୁଥିବା ଟିଟୋ ଚଣ୍ଡିଖୋଲ ଅଞ୍ଚଳକୁ କାହିଁକି ଯାଇଥିଲା ଓ କାହାକୁ ସାକ୍ଷାତ କରିବାକୁ ଯାଇଥିଲା କି ? ଏହାର ଖୋଳତାଡ ହେଲେ ପ୍ରକୃତ ରହସ୍ୟ ଲୋକଲୋଚନକୁ ଆସିବ ବୋଲି ଏବେ ସାଧାରଣରେ ଆଲୋଚନା ହେବାରେ ଲାଗିଛି  ।

ଗ୍ୟାଙ୍ଗଷ୍ଟାରଙ୍କ ସହ ରାଜନୈତିକ ଲିଙ୍କ କଥା ଓଡିଶାରେ ନୁଆ ନୁହେଁ  । ଏପରିକି ଗ୍ୟାଙ୍ଗଷ୍ଟାରଙ୍କ ସହ ଲିଙ୍କ ଅଭିଯୋଗରେ ଅନେକ ନେତା ଗିରଫ ହେବା ଓ ତଦନ୍ତର ସମ୍ମୁଖୀନ ହେବାର ନଜିର ଓଡିଶାରେ ଅଛି  ।

  • Tags:

Subscribe

National International State Sports Entertainment