ଓଡ଼ିଆର ପଖାଳ କଂସାକୁ ମମତାଙ୍କ ଆଳୁ, ଆନ୍ଧ୍ରା ମାଛରେ ନାସିକ ପିଆଜ
Khabar Odisha:

ଭୁବନେଶ୍ୱର, ଏପ୍ରିଲ ୨୧(ଖବର ଓଡ଼ିଶା): କେବଳ ଯେ ଖରା ଦିନେ ନୁହେଁ, ବରଂ ବର୍ଷ ତମାମ ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ । ଆଳୁ-ପିଆଜ ଚକଟାରେ ମାଛ ଭଜା ହେଲେ ପଖାଳ ଖାଇବାରେ ମଜା ଆସିଥାଏ । କିନ୍ତୁ ଆମ ରାଜ୍ୟ ସରକାର ଓଡ଼ିଆ ଲୋକଙ୍କୁ ପଖାଳ ଯୋଗାଇବାରେ ବି ସଫଳ ହୋଇ ପାରିନାହାନ୍ତି । ପଖାଳ ଗଣ୍ଡେ ଖାଇବାକୁ ଆର୍ଥିକ ସଙ୍କଟ ହେଉଥିବାରୁ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟ ଯାଉଛନ୍ତି । ଜମି, ଜଙ୍ଗଳ, ପାଣି ଓ ପବନରେ ପରିପୂର୍ଣ୍ଣ ଓଡ଼ିଶାରେ ଜଳସେଚନ ଅଭାବ ଦେଖାଦେଇଥିବାରୁ ଚାଷ ଜମିକୁ ପାଣି ମିଳୁ ନାହିଁ । ଚାଷୀ ଋଣ ଭାରରେ ଅତିକ୍ରାନ୍ତ ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି । ବର୍ଷ ବର୍ଷ ଧରି ନିର୍ମାଣ ଚାଲିଥିବା ଜଳସେଚନ ପ୍ରକଳ୍ପଗୁଡ଼ିକ ଶେଷ ହେବାର ନା ନେଉ ନାହିଁ । ରାଜ୍ୟରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କଳକାରଖାନା ଥିଲେ ମଧ୍ୟ ଶିକ୍ଷିତ ଓଡ଼ିଆ ଯୁବବର୍ଗଙ୍କୁ ନିଯୁକ୍ତି ମିଳୁନାହିଁ । ଓଡ଼ିଶାର ଖଣି ଖଦାନରେ ବିହାର, ଝାରଖଣ୍ଡ, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶର ଲୋକଙ୍କୁ କାମ ମିଳୁଛି ।

ଆଳୁ ସଙ୍କଟରୁ ନିସ୍ତାର ପାଇବା ପାଇଁ ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୧୫-୧୬ରୁ "ଆଳୁ ମିଶନ' ପ୍ରସ୍ତୁତ କରିଛନ୍ତି । ଏହି ମିଶନ ଆର୍ଥିକ ବର୍ଷ ୨୦୨୩-୨୪ ପର୍ଯ୍ୟନ୍ତ ଚାଲିବ ଓ ଏଥିପାଇଁ ୨୬୭.୦୫ କୋଟି ଟଙ୍କା ଖର୍ଚ୍ଚ ହେବ । ୨୦୧୭-୧୮ରେ ୬୦,୦୦୦ ହେକ୍ଟର ଜମିରେ ଚାଷ କରି ୧.୧୨ ମିଲିୟନ ଟନ୍ ଆଳୁ ଉତ୍ପାଦନ ଲକ୍ଷ୍ୟ ରଖାଯାଇଥିବା ବେଳେ, ଏତେ ପରିମାଣରେ ଆଳୁକୁ ସାଇତି ରଖିବା ପାଇଁ ଆମ ପାଖରେ ଶୀତଳଭଣ୍ଡାର ଅଭାବ ରହିଛି । ୨୦୧୮ ମାର୍ଚ୍ଚ ୩୧ ସୁଦ୍ଧା ୧୧୨ଟି ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ହେବ ବୋଲି ସରକାର ପୂର୍ବରୁ ଘୋଷଣା କରିଥିଲେ । କିନ୍ତୁ ଗତ ବର୍ଷ ମାତ୍ର ୫ଟି ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ହୋଇଥିବାବେଳେ, ଏପର୍ଯ୍ୟନ୍ତ ରାଜ୍ୟରେ ୩୩ଟି ପରିଚାଳିତ ହେଉଛି । ଏଠାରେ ପ୍ରଶ୍ନ ଉଠେ ଯେ ଆଉ ଗୋଟିଏ ବର୍ଷରେ ୭୯ଟି ଶୀତଳଭଣ୍ଡାର ନିର୍ମାଣ ହୋଇ ପାରିବ କି? ଯଦି ବି ସରକାରଙ୍କ ନିର୍ଦ୍ଧାରଣ ଅନୁଯାୟୀ ଆଳୁ ଉତ୍ପାଦନ ହୁଏ, ସେଥିରୁ ଅଧିକାଂଶ ପଚି-ସଢ଼ି ଯିବ ଓ ପୁଣି ଆମକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆଳୁ ମାଗିବାକୁ ପଡ଼ିବ ।

ସେହପରି ମାଛ ହେଉଛି ଓଡ଼ିଆ ଲୋକଙ୍କର ଆଉ ଗୋଟିଏ ପ୍ରିୟ ଖାଦ୍ୟ । ଓଡିଶାର ଲୋକେ ମାଛ ଖାଇବା ପାଇଁ ବର୍ଷରେ ଯେତେ ଟଙ୍କା ଖର୍ଚ୍ଚ କରନ୍ତି, ମାଂସ, ଅଣ୍ଡା, କ୍ଷୀର ଅଥବା ଅନ୍ୟ ପରିବା ପାଇଁ ସେତେ ଟଙ୍କା ଖର୍ଚ୍ଚ କରନ୍ତି ନାହିଁ । ଭାରତୀୟ ଆର୍ୟୁବିଜ୍ଞାନ ଗବେଷଣା ପ୍ରତିଷ୍ଠାନ (ଆଇସିଏମଆର)ର ଆକଳନ ଅନୁଯାୟୀ ପ୍ରତ୍ୟେକ ଆମିଷ ପ୍ରିୟ ବ୍ୟକ୍ତି ବର୍ଷକୁ ୧୧ କିଗ୍ରା ମାଛ ଖାଇଥାଏ । କିନ୍ତୁ ଓଡ଼ିଶାରେ ପ୍ରତ୍ୟେକ ଲୋକ ଆଇସିଏମ୍ଆର୍ ଆକଳନଠାରୁ ଅଧିକ ମାଛ ଖାଉଛନ୍ତି । ରାଜ୍ୟରେ ପ୍ରତି ବ୍ୟକ୍ତି ୧୨.୨୪କିଗ୍ରା ହାରରେ ମାଛ ଖାଉଛନ୍ତି । ରାଜ୍ୟରେ ଦରକାର ପଡ଼ୁଥିବା ମାଛ ଚାହିଦାକୁ ପୂରା କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଛନ୍ତି । ଓଡ଼ିଶାର ଲୋକମାନେ ବାର୍ଷିକ ହାରାହାରି ୪ଲକ୍ଷ ୬୮ହଜାର ୨୩୮ଟନ୍ ମାଛ ଦରକାର କରୁଥିବା ବେଳେ ଆର୍ଥିକ ବର୍ଷ ୨୦୧୪-୧୫ରେ ଓଡ଼ିଶା ୪.୬୭ ଲକ୍ଷ ଟନ୍ ମାଛ ଉତ୍ପାଦନ କରଛି । ଆର୍ଥିକ ବର୍ଷ ୨୦୧୩-୧୪ ଅପେକ୍ଷା ୨୬ ପ୍ରତିଶତ ଅଧିକ ମାଛ ରପ୍ତାନି କରିଛି । ଆନ୍ଧ୍ର ପ୍ରଦେଶ ଓ ଅନ୍ୟରାଜ୍ୟମାନଙ୍କରୁ ବାର୍ଷିକ ୩୬ହଜାର ୯୬୫ଟନ୍ ହାରରେ ମାଛ ଆମଦାନୀ ହେଉଛି । ଓଡ଼ିଶାରେ ପ୍ରାୟ ୫୫ ହଜାରରୁ ଅଧିକ ଗାଁ ଥିବାବେଳେ, ଏତେ ସଂଖ୍ୟାରେ ପୋଖରି ନାହିଁ । ଆର୍ଥିକ ବର୍ଷ ୨୦୧୩-୧୪ରେ ପୋଖରୀରୁ ୨ଲକ୍ଷ ୩୦ହଜାର ୪୩୦ ମିଲିୟନ ଟନ୍ ମାଛ ଉତ୍ପାଦିତ ହୋଇଥିଲା ରାଜ୍ୟ ସରକାର ପୋଖରୀ ଖନନ କରି ମାଛ ଚାଷକୁ ପ୍ରୋତ୍ସାହନ ଯୋଗାଉ ନାହାନ୍ତି । ଫଳରେ ଓଡ଼ିଶାରେ ମାଛ ଉତ୍ପାଦନ ଆବଶ୍ୟକତାଠାରୁ କମିଛି । ଯେଉଁ ନିଦ୍ଧିଷ୍ଟ କେତେ ଜାଗାରେ ମାଛ ଚାଷ ହେଉଛି, ତାହା ବ୍ୟକ୍ତିଗତ ଉଦ୍ୟମରେ ହେଉଛି ।

ଏବେ ଜିବା ପିଆଜ ଆଡ଼କୁ । ଜାତୀୟ ସ୍ତରରେ ଓଡ଼ିଶାର ପିଆଜ ଉତ୍ପାଦନ ନଗଣ୍ୟ । ଜାତୀୟ ପିଆଜ ଉତ୍ପାଦନ ତାଲିକାରେ ମହାରାଷ୍ଟ୍ର ଶୀର୍ଷ ସ୍ଥାନରେ ରହିଛି । ମହାରାଷ୍ଟ୍ରରେ ବର୍ଷକ ହାରାହାରି ୪୨୭.୯ହଜାର ହେକ୍ଟର ଜମିରେ ୫୩୬୨.୦ହଜାର ଟନ ପିଆଜ ଉତ୍ପାଦନ ହେଉଛି । କର୍ଣ୍ଣାଟକରେ ୧୬୪.୭ହଜାର ହେକ୍ଟର ଜମିରେ ୨୯୮୫.୮ହଜାର ଟନ, ମଧ୍ୟପ୍ରଦେଶରେ ୧୨୩.୨ହଜାର ହେକ୍ଟର ଜମିରେ ୨୯୬୭.୪ହଜାର ଟନ, ଗୁଜୁରାଟରେ ୪୪.୩ହଜାର ହେକ୍ଟର ଜମିରେ ୧୧୨୬.୫ହଜାର ଟନ, ରାଜସ୍ଥାନରେ ୬୨.୬ହଜାର ହେକ୍ଟର ଜମିରେ ୮୦୦.୧ହଜାର ଟନ ପିଆଜ ଉତ୍ପାଦନ ହେଉଛି । ସେହିଭଳି ହରିୟାଣାରେ ୨୮.୭ହଜାର ହେକ୍ଟର ଜମିରେ ୬୬୭.୧ହଜାର ଟନ, ଆନ୍ଧ୍ର ପ୍ରଦେଶରେ ୩୮.୪ହଜାର ହେକ୍ଟର ଜମିରେ ୫୭୫.୬ହଜାର ଟନ, ତେଲେଙ୍ଗାନାରେ ୨୨.୨ହଜାର ହେକ୍ଟର ଜମିରେ ୪୧୯.୧ହଜାର ଟନ ଓ ଉତ୍ତର ପ୍ରଦେଶରେ ୨୪.୫ ହେକ୍ଟର ଜମିରେ ୪୨୩ ହଜାର ଟନ୍ ପିଆଜ ଉତ୍ପାଦନ ହେଉଛି । ରାଜ୍ୟରେ ୬୦ ପ୍ରତିଶତ ଲୋକ କୃଷି ଓ କୃଷିକାର୍ଯ୍ୟ ସହିତ ଜଡ଼ିତ । କିନ୍ତୁ ସରକାରଙ୍କ କୃଷିର ବିକାଶ ପାଇଁ ବିଶେଷ ଗୁରୁତ୍ୱ ଦେଉ ନ ଥିବାରୁ ଆମକୁ ମାଛ ପାଇଁ ଆନ୍ଧ୍ର ପ୍ରଦେଶ, ପିଆଜ ପାଇଁ ମହାରାଷ୍ଟ୍ର ଓ ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ଭରସା କରିବାକୁ ପଡୁଛି ।

 

 

 

 

 

 

Leave a Reply

Your email address will not be published. Required fields are marked *



Comments