ବ୍ୟାଙ୍କକ,ଜୁଲାଇ୦୭(ଖବର ଓଡ଼ିଶା):
ଥାଇଲାଣ୍ଡର ଗୁମ୍ଫାରେ ଫସି ରହିଥିବା ୧୨ ଫୁଟବଲ ବାଳକ ଏବଂ ସେମାନଙ୍କ କୋଚଙ୍କ ଜୀବନ ପ୍ରତି ମିନିଟରେ ବିପଥଗାମୀ ହେବାକୁ ଯାଉଛି। ଉଦ୍ଧାରକାଳୀ ଦଳ ସେମାନଙ୍କୁ ବଞ୍ଚାଇବାକୁ ନିଜର ଅକଥ ପ୍ରୟାସ ଜାରି ରଖିଛନ୍ତି। ମାତ୍ର ଏ ପର୍ୟ୍ୟନ୍ତ ସେମାନଙ୍କୁ ସଫଳତା ମିଳି ନାହିଁ। ସବୁଠୁ ବଡ଼ ଚିନ୍ତାର ବିଷୟ ଖରାପ ପାଗ ଏହି ମହା ରେସ୍କ୍ୟୁ ଅପରେସନରେ ବଡ଼ ବାଧକ ସାଜିଛି। ଯାହାକୁ ନେଇ ସମସ୍ତଙ୍କର ଚିନ୍ତା ବଢିଯାଇଛି।
ଶୁକ୍ରବାର ଗୋଟିଏ ପଟେ ରେସକ୍ୟୁ ଅପରେସନକୁ ରୋକିବାକୁ ପଡ଼ିଥିବା ବେଳେ ଅନ୍ୟ ପଟେ ଅମ୍ଳଜାନର ସ୍ତର ବିପଦ ସଙ୍କେତ ତଳକୁ ଖସି ଆସିଛି। ଆଉ ଏକ ଚିନ୍ତାର ବିଷୟ ଏହା ଯେ ପାଣିପାଗ ବିଭାଗ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଦେଇଛି। ବିଭାଗ ମୁତାବକ ଆଗାମୀ ୭ ଦିନ ପର୍ୟ୍ୟନ୍ତ ବର୍ଷା ହେବାର ଅନୁମାନ କରାଯାଉଛି। ବର୍ଷା କାରଣରୁ ଗୁମ୍ଫାରେ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ମଧ୍ୟ ରହିଛି। ଏହାରି ଫଳରେ ଉଦ୍ଧାର ଅଭିଯାନ ମୁସ୍କିଲ ହୋଇ ପଡ଼ିବ। ଉଲ୍ଲେଖଯୋଗ୍ୟ ପ୍ରଥମରୁ ହିଁ ଗୁମ୍ଫାରେ ପାଣି ଜମି ରହିଛି। ଯାହାକୁ ଏବେ ଉଦ୍ଧାରକାରୀ ଦଳ ନିଷ୍କାସନ କରୁଛନ୍ତି।
ଏହି ବିକଳ୍ପ ଉପରେ ବିଚାର
ଉଦ୍ଧାରକାର୍ୟ୍ୟ ଅଭିଯାନର ପ୍ରମୁଖ କହିଛନ୍ତି ଯେ ପିଲାଙ୍କୁ ବାହାରକୁ ଆଣିବାରେ ସମସ୍ୟା ରହିଛି, ଏହି କାରଣରୁ ଅନ୍ୟ ବିକଳ୍ପ ଉପରେ ବିଚାର କରାଯାଉଛି। ଏବେ ରେସକ୍ୟୁ ଟିମ ଉଦ୍ୟମ କରୁଛନ୍ତି ଯେ ଗୁମ୍ଫା ଭିତରେ ହିଁ ପିଲାଙ୍କୁ କୌଣସି ସୁରକ୍ଷିତ ସ୍ଥାନରେ ରଖାଯିବ। ଏହା ବ୍ୟତୀତ ଗୁମ୍ଫାରେ ଅକ୍ସିଜେନର ଅଭାବକୁ ଦୂର କରିବା ପାଇଁ ପାଇପର ବ୍ୟବହାର ଉପରେ ମଧ୍ୟ ବିଚାର କରାଯିବ। କୁହାଯାଉଛି ଯେ ଗୁମ୍ଫା ଭିତରେ ପାଞ୍ଚ କିଲୋମିଟର ପର୍ୟ୍ୟନ୍ତ ପାଇପ୍ ପଠାଯିବାର ଯୋଜନା ରହିଛି। ଏହା ଜରିଆରେ ଗୁମ୍ଫା ଭିତରେ ଅକ୍ସିଜେନର ସ୍ତରକୁ ନିୟନ୍ତ୍ରଣ କରାଯାଇ ପାରିବ। ଏହା ଦ୍ଵାରା ଟିମ୍ ପହଞ୍ଚିବା ପର୍ୟ୍ୟନ୍ତ ସେମାନଙ୍କୁ ଯେମିତି ଅକ୍ସିଜେନ ଅଭାବ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ନପଡେ।
ରେସକ୍ୟୁ ସମୟରେ ଜଣେ ଯବାନ ମୃତ
ପିଲାଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିବା ସମୟରେ ଅକ୍ସିଜେନ ଅଭାବରୁ ସେନାର ଜଣେ ପୂର୍ବତନ ନେଭି ସିଲଙ୍କ ମୃତ୍ୟୁ ଘଟିଛି। ସ୍ଵଇଚ୍ଛାରେ ସାହାଯ୍ୟ କରିବାକୁ ଆଗେଇ ଆସିଥିବା ପୂର୍ବତନ ନେଭି ସେଲର ଯବାନଙ୍କ ମୃତ୍ୟୁ ଗୁରୁବାର ରାତି ପ୍ରାୟ ୨ଟାରେ ଘଟିଛି।