ଡୁବୁଥିବା ପାକିସ୍ତାନକୁ ପୁଣି ଥରେ ସାହାରା ଦେଲା ଚୀନ, ଦୂର କଲା ଆର୍ଥିକ ସଙ୍କଟ
Khabar Odisha:china-gave-financial-help-to-pakistan-says-pak-ministers
ନୂଆଦିଲ୍ଲୀ,ନଭେମ୍ବର୦୭(ଖବର ଓଡ଼ିଶା):

ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା  ପାକିସ୍ତାନକୁ ପୁଣି ଥରେ ଚୀନ ବଢାଇଛି ସହାୟତାର ହାତ। ଚୀନ ପାକିସ୍ତାନକୁ ଆର୍ଥିକ ପ୍ୟାକେଜ୍ ଦେବାକୁ ପ୍ରତିଶ୍ରୁତି ଦେଇଛି।  ବୁଧବାର ଏହି ବିଷୟରେ ସୂଚନା ଦେଇଛନ୍ତି ପାକିସ୍ତାନର ଅର୍ଥମନ୍ତ୍ରୀ। ମାତ୍ର ଚୀନ ଦେଇଥିବା ଆର୍ଥିକ ସହାୟତା ଉପରେ ସେ ଅଧିକ କହିବାକୁ ମନା କରି ଦେଇଛନ୍ତି। ସୂଚନାଯୋଗ୍ୟ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିକଟରେ ଆର୍ଥିକ ପ୍ୟାକେଜ୍ ମାଗିବା ଉଦ୍ଦେଶ୍ୟରେ ଚୀନ ଯାତ୍ରା କରିଥିଲେ।

ପାକିସ୍ତାନର ଅର୍ଥମନ୍ତ୍ରୀ ଅସଦ ଉମର ମଙ୍ଗଳବାର ଏହି ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଚୀନ ସହାୟତା ପ୍ୟାକେଜ୍ ଜରିଆରେ ଦେଶର ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ ଉଚ୍ଚସ୍ତରୀୟ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଛି। ଅସଦ ଉମର ଇମ୍ରାନ ଖାନଙ୍କ ସହିତ ଚୀନ ଗସ୍ତ କରିଥିବା ଚାରି ସଦସ୍ୟ ବିଶିଷ୍ଟ ପ୍ରତିନିଧିମଣ୍ଡଳର  ସଦସ୍ୟ ଥିଲେ। 

ଉମର କହିଛନ୍ତି ଯେ ପାକିସ୍ତାନକୁ ପ୍ରାୟ ୧୨ ଅରବ ଡଲାରର ସାହାଯ୍ୟ ଦରକାର ଥିଲା। ଏଥିରୁ ସାଉଦି ଆରବ ଆମକୁ ୬ ଅରବ ଡଲାର ଦେଉଛି। ବାକି ଅର୍ଥ ଚୀନ ଋଣ ଆକାରରେ ଦେବାକୁ ସହମତ ହୋଇଛି।  ସେ ସ୍ପଷ୍ଟ କରିଛନ୍ତି ଯେ ଏହି ସାହାଯ୍ୟରେ ପାକିସ୍ତାନର ନଗଦ ଅର୍ଥର ସଂକଟ ଶେଷ ହୋଇଛି। ଇମ୍ରାନଙ୍କ ସହିତ ଚୀନ ଗସ୍ତ କରିଥିବା ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀ କହିଛନ୍ତି ଯେ ଚୀନ ଦ୍ଵାରା ଆର୍ଥିକ ସହାୟତା ଦେବାକୁ ପ୍ରତିବଦ୍ଧତା ଜଣାଇବା ପରେ ପାକିସ୍ତାନ ନଗଦ ଆର୍ଥିକ ସମସ୍ୟା ଦୂର ହୋଇଛି। 

ଅନ୍ୟ ପଟେ ଚୀନ ବୈଦେଶିକ ମନ୍ତ୍ରଣାଳୟ  ଏହି ବିଷୟରେ କିଛି ବି କହିବାକୁ ମନା କରି ଦେଇଛି। ବୈଦୈଶିକ ମନ୍ତ୍ରଣାଳୟର ମୁଖପାତ୍ର କେବଳ ଏତିକି କହିଛନ୍ତି ଯେ ପାକିସ୍ତାନ ଚୀନର ପରମମିତ୍ର। ଆମେ ଆମ ପକ୍ଷରୁ ପାକିସ୍ତାନକୁ ଯଥା ସମ୍ଭବ ସହାୟତା ଦେବୁ। 

Subscribe

National International State Sports Entertainment