ଟ୍ରମ୍ପଙ୍କ ଚେତାବନୀ, ଇରାନ ସହ କାରବାର କର ନଚେତ୍ ଆମେରିକା ସହ କର
Khabar Odisha:anyone-doing-business-with-iran-will-not-be-doing-business-with-us-says-trump
ଓ୍ଵାଶିଂଟନ,ଅଗଷ୍ଟ୦୭(ଖବର ଓଡ଼ିଶା):

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଇରାନ ଉପରେ ପ୍ରତିବନ୍ଧକ ଲଗାଯିବା ପରେ  ଆଉ ଏକ ଚେତାବନୀ ଜାରି କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଯେଉଁ ଦେଶ ଇରାନ ସହିତ କାରବାର  ଜାରି ରଖିବ ସେହି ଦେଶ ଆମେରିକା ସହିତ କାରବାର କରି ପାରିବ ନାହିଁ। ଟ୍ରମ୍ପ ବୁଧବାର ଇରାନ ଉପରେ ନୂତନ ପ୍ରତିବନ୍ଧକ ଲଗାଇଛନ୍ତି। ଇରାନ ସହ ୨୦୧୫ରେ ପରମାଣୁ ଚୁକ୍ତି ପରେ ଏହି ପ୍ରତିବନ୍ଧକକୁ ହଟାଯାଇଥିଲା। ଯାହାକୁ ପୁଣି ଥରେ ଏବେ ଲାଗୁ କରାଯାଇଛି। ଟ୍ରମ୍ପଙ୍କ ଏହି ପ୍ରତିବନ୍ଧକର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିପାରେ। ଚୀନ ପରେ ଭାରତ ଇରାନର ଦ୍ଵିତୀୟ ସବୁଠୁ ବଡ଼ ତୈଳ ଆମଦାନୀକାରୀ ଦେଶ। ଆମେରିକା ପ୍ରତିବନ୍ଧକ ପରେ ଭାରତ ଏବେ ଧୀରେ ଧୀରେ ଇରାନଠୁ ମୁହଁ ମୋଡିବା ଆରମ୍ଭ  କଲାଣି। ଏବେ ଜୁନ ମାସରେ ଭାରତ ଇରାନଠୁ ୧୨ ପ୍ରତିଶତ କମ ତୈଳ ଆମଦାନୀ କରିଥିଲା। 

ଟ୍ରମ୍ପ ଟ୍ଵିଟ୍ କରିଛନ୍ତି ଯେ  ଇରାନ ଉପରେ ଲାଗିଥିବା ପ୍ରତିବନ୍ଧକ ସରକାରୀ ରୂପେ ଲାଗୁ ହୋଇ ସାରିଛି।  ଏହା  ଏପର୍ୟ୍ୟନ୍ତର ସବୁଠୁ ବଡ଼ ପ୍ରତିବନ୍ଧକ ଅଟେ ଏବଂ ନଭେମ୍ବରରେ ଏହା  ଆଗାମୀ ସ୍ତର ପର୍ୟ୍ୟନ୍ତ  ଯିବ। ଇରାନ ସହିତ ଯିଏ ବି କାରବାର କରିବ ସେ ଆମେରିକା ସହିତ କାରବାର କରି ପାରିବ ନାହିଁ। ମୁଁ କେବଳ ଦୁନିଆ ପାଇଁ ଶାନ୍ତି ମାଗୁଛି। ବାସ୍ ଆଉ କିଛି ଚାହୁଁନି।

ଆମେରିକାର ଏହି ପ୍ରତିବନ୍ଧକ ପରେ ପେଟ୍ରୋଲିୟମ ସମ୍ବନ୍ଧିତ କାରବାର ହ୍ରାସ ପାଇବ। ଏହା ସହିତ ଇରାନ କେନ୍ଦ୍ରୀୟ ବ୍ୟାଙ୍କ ସହିତ ବିଦେଶୀ ଆର୍ଥିକ ସଂସ୍ଥାର ଲେଣନେଣ ମଧ୍ୟ ଅଟକିବ। ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ସେ ଇରାନ ସହିତ ବ୍ୟାପକ ପରମାଣୁ  ଚୁକ୍ତି କରିବା ଉପରେ ବିଚାର କରିବାକୁ ସେ ପ୍ରସ୍ତୁତ।  ଆମେରିକା ପ୍ରତିବନ୍ଧକର ପ୍ରଥମ ପର୍ୟ୍ୟାୟରେ ଇରାନ ଆମେରିକାଠୁ ଆମଦାନୀ କରୁଥିବା କାର ତଥା ଅନ୍ୟ ପ୍ରମୁଖ ଉଦ୍ୟୋଗକୁ ଟାର୍ଗେଟ୍ କରିଛି। ଇରାନ ପୂର୍ବରୁ  ପ୍ରତିବନ୍ଧକର ପ୍ରଭାବ ସାମ୍ନା କରୁଛି। ଆମେରିକା-ଇରାନ  ଚୁକ୍ତିରୁ ଟ୍ରମ୍ପ ଓହରିଯିବା ପରଠୁ ଇରାନର ମୂଲ୍ୟ ପ୍ରାୟ ଅଧା ରହିଛି। 

ୟୁରୋପୀୟ ସଂଘର କୂଟନୈତିକ ପ୍ରମୁଖ ଫେଡେରିକା ମୋଗେରିନ କହିଛନ୍ତି ଯେ ଆମେରିକା ପୁଣି ଥରେ ପ୍ରତିବନ୍ଧକ ଲଗାଇବାରୁ ବ୍ରିଟେନ୍,  ଫ୍ରାନ୍ସ ଓ ଜର୍ମାନୀ ସମେତ ଅନ୍ୟ ଦେଶ ଦୁଃଖ ପ୍ରକଟ କରିଛନ୍ତି। ଆମେରିକାର ଜୋରିମାନା ଭୟରୁ ଅନେକ ବଡ଼ ବଡ଼ କମ୍ପାନୀ ଇରାନରୁ ବାହାରି ଯାଉଛନ୍ତି। ଟ୍ରମ୍ପ ଇରାନ ସହିତ କାରବାର ଜାରି ରଖୁଥିବା କମ୍ପାନୀ ଏବଂ ଲୋକଙ୍କୁ ଗମ୍ଭୀର ପରିଣାମ ଭୋଗିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି। ଆମେରିକା ପ୍ରତିବନ୍ଧର ଦ୍ଵିତୀୟ ପର୍ୟ୍ୟାୟ ନଭେମ୍ବର ୫ରୁ ଲାଗୁ ହେବ। ଏହା ଇରାନର ଅଶୋଧିତ ତୈଳ ବିକ୍ରି ଉପରେ ଲାଗୁ ହେବ। ଏହା ଦ୍ଵାରା ଭାରତ, ଚୀନ ଓ ତୁର୍କୀ ପରି ଅନେକ ଦେଶର ଅତ୍ୟଧିକ କ୍ଷତି ହେବ। 

  • Tags:

Subscribe

National International State Sports Entertainment