ଗୁମ୍ଫାରେ ଫସିଥିବା ପିଲାଙ୍କୁ ଉଦ୍ଧାର ବେଳେ ବର୍ଷା ସାଜିଲା ଦାଉ, ଅଟକିଲା ରେସ୍କ୍ୟୁ ଅପରେସନ
Khabar Odisha:Rain-continue-in-café-in-Thiland

ନୂଆଦିଲ୍ଲୀ, ଜୁଲାଇ ୦୭ (ଖବର ଓଡ଼ିଶା): ଥାଇଲାଣ୍ଡର ଏକ ଗୁମ୍ଫାରେ ଫସିଥିବା ଫୁଟବଲ ଟିମର ଖେଳାଳିମାନଙ୍କୁ ଉଦ୍ଧାର ବେଳେ ବର୍ଷା ଦାଉ ସାଧିଛି । ଫଳରେ ଉଦ୍ଧାର କାର୍ଯ୍ୟ ସାମୟିକ କାଳ ପାଇଁ ବନ୍ଦ ରହିଛି । ବର୍ଷା ଛାଡ଼ିଲେ ପୁଣି ଥରେ ସେନାର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିବେ । ଗତକାଲି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଜଣେ ଜଳସେନା ସିଲ କମାଣ୍ଡରଙ୍କ ମୃତ୍ୟୁ ହୋଇଥିଲା । ତା’ ପରେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଉଦ୍ଧାରକାରୀ ଦଳଙ୍କୁ ପ୍ରତିକୂଳ ପାଗର ସମ୍ମୁଖୀନ ହେବାକୁ ପଡୁଛି । ପାଣିପାଗ ବିଭାଗ ୨ ଦିନ ପରେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଆକଳନ କରିଛି । 

ଯଦି ପ୍ରବଳ ବର୍ଷା ହୁଏ ଗୁମ୍ଫାରେ ଜଳସ୍ତର ବଢ଼ିଯିବ, ଯାହାଦ୍ୱାରା କି ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହେବ । ଥାଇଲାଣ୍ଡର ଗୃହମନ୍ତ୍ରୀ ଅନୁପୋଙ୍ଗ ପାଓଜିନ୍ଦା ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସେ କହିଛନ୍ତି ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ଅଟକିଛି । ପିଲାମାନଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରକାରର ଉଦ୍ୟମ କରାଯାଉଛି । ସେହିଭଳି ମେଡିକାଲ ଟିମ ମଧ୍ୟ ପ୍ରସ୍ତୁତ ଅଛନ୍ତି ।  

ପିଲାମାନେ ଚିଆଙ୍ଗ ରାୟ ରାଜ୍ୟର ଥାମ ଲୁଆଙ୍ଗ ଗୁମ୍ଫାରେ ଫସିଛନ୍ତି । ଏଠାରୁ ସେମାନଙ୍କୁ ବାହାର କରିବା ସହଜ ହୋଇପାରୁ ନାହିଁ । କାରଣ ଚାରିଆଡେ ପାଣି ରହିଥିବା ବେଳେ ସଂକୀର୍ଣ୍ଣ ରାସ୍ତା ଅଛି । ସେହିଭଳି ଅନ୍ଧାରୁଆ ଓ କାଦୂଅ ସ୍ଥାନ ହୋଇଥିବାରୁ ଅପରେସନ କାମରେ ବାଧା ସୃଷ୍ଟି ହେଉଛି । ଭାରତ ସ୍ଥାନୀୟ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ପାଇଁ ପ୍ରସ୍ତାବ ଦେଇଛି  । 

ସ୍ଥାନୀୟ ରାଜ୍ୟପାଳ ନାରୋଗସାକ ଓସୋଥାନକୋର୍ଣ୍ଣ ଗୁରୁବାର କହିଛନ୍ତି, ପ୍ରଥମେ ଆମ ନିକଟରେ ସମୟକୁ ନେଇ ଚ୍ୟାଲେଞ୍ଜ ଥିଲା । ଏବେ ପାଣିପାଗ ଚ୍ୟାଲେଞ୍ଜ କରୁଛି । ପ୍ରବଳ ବର୍ଷା ହେବାର ଆଶଙ୍କା ରହୁଛି, ଯେଉଁଥିରେ ଜଳସ୍ତର ବଢ଼ିପାରେ । ଏହା ଦ୍ୱାରା ପିଲାଙ୍କୁ ଉଦ୍ଧାର କରିବାରେ ସମସ୍ୟା ବଢ଼ିବ । 

ସୂଚନାଯୋଗ୍ୟ ୧୬ ବର୍ଷରୁ କମ ଫୁଟବଲ ଟିମର ୧୨ ଜଣ ଖେଳାଳି ଗତ ଜୁନ ୨୩ରୁ ଗୁମ୍ଫାରେ ଫଶି ରହିଛନ୍ତି । ପ୍ରବଳ ବର୍ଷା ଯୋଗୁଁ ସେମାନେ ଉପାୟ ଶୂନ୍ୟ ହୋଇ ଗୁମ୍ଫାର ଆଶ୍ରୟ ନେଇଥିଲେ ବୋଲି ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ବର୍ଷା ଯେଗୁଁ ଗୁମ୍ଫାର ପ୍ରବେଶ ଦ୍ୱାର ବନ୍ଦ ହୋଇ ଯାଇଥିଲା । ସମସ୍ତ ପିଲାଙ୍କର ବୟସ ୧୧ରୁ ୧୬ ଭିତରେ ହେବ । 

 

  • Tags:

Subscribe

National International State Sports Entertainment