ଜାକର୍ତ୍ତା, ଅକ୍ଟୋବର ୦୬ (ଖବର ଓଡ଼ିଶା): ଇଣ୍ଡୋନେସିଆର ସୁଲାୱେସି ଦୀପରେ ଦେଖାଯାଇଥିବା ଶକ୍ତିଶାଳୀ ଭୂକମ୍ପ ଓ ପରେ ସୁନାମୀ ଯୋଗୁଁ ଶୁକ୍ରବାର ପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା ୧୫୭୧ରେ ପହଞ୍ଚିଛି । ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ପୀଡିତଙ୍କୁ ଖୋଜା ଚାଲିଛି ଓ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି । ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ମୁଖପାତ୍ର ସୁତୋପେ ନୁଗ୍ରୋହୋ କହିଛନ୍ତି, ଆହତ ସଂଖ୍ୟା ବଢ଼ି ୨୫୪୯ରେ ପହଞ୍ଚିଛି । ସେହିଭଳି ୭୦,୦୦୦ ଲୋକଙ୍କୁ ଥଇଥାନ କରାଯାଇଛି । ୧୫୫୧ ମୃତଦେହକୁ ସାମୁହିକ ଭାବରେ ଅନ୍ତିମ ସଂସ୍କାର କରାଯାଇଛି । ଅନେକ ଏନଜିଓ ସଂସ୍ଥାଙ୍କ ଆକଳନ ଅନୁସାରେ ଭୂକମ୍ପ ଯୋଗୁଁ ପାଖାପାଖି ୧୦୦୦ ଲୋକ ମାଟି ତଳେ ଚାପି ହୋଇଯାଇଛନ୍ତି ।
ରାଜକୀୟ ବିଦ୍ୟୁତ କମ୍ପାନୀ ଅନୁସାରେ ପାଲୁ ସହର ସର୍ବାଧିକ ପ୍ରଭାବିତ ହୋଇଛି । ବିଦ୍ୟୁତ କାରଖାନା ୬୦ ପ୍ରତିଶତ ନିଷ୍କ୍ରିୟ ହୋଇଯାଇଛି । କମ୍ପାନୀ ପକ୍ଷରୁ ଏହାକୁ ଆଗାମୀ ଅକ୍ଟୋବର ୧୪ ପର୍ଯ୍ୟନ୍ତ ସକ୍ରିୟ କରାଯିବ । ଭୂକମ୍ପ ଯୋଗୁଁ ହଜାର ସଂଖ୍ୟାରେ ଘରଗୁଡ଼ିକ ଢଳି ପଡିଛି ।