ଇଣ୍ଡୋନେସିଆରେ ଭୂକମ୍ପ: ମୃତ୍ୟୁ ସଂଖ୍ୟା ଛୁଇଁଲା ୮୨, ବାତିଲ ହେଲା ସୁନାମୀ ସଙ୍କେତ
Khabar Odisha:Earthquake-killed-82-in-Indonesia-more-than-100-injured

ଜାକର୍ତ୍ତା, ଅଗଷ୍ଟ ୦୬ (ଖବର ଓଡ଼ିଶା): ଇଣ୍ଡୋନେସିଆରେ ରବିବାର ସନ୍ଧ୍ୟାରେ ଭୂକମ୍ପ ଅନୁଭୂତ ହୋଇଛି । ସନ୍ଧ୍ୟା ୫ଟା ୧୬ରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭ ଥିଲା । ତୀବ୍ର ଭୂକମ୍ପ ଯୋଗୁଁ ସ୍ଥାନୀୟ ସରକାର ସୁନାମୀ ପାଇଁ ଚେତାବନୀ ଜାରି କରି ଦେଇଥିଲେ, ଯାହାକୁ କି ବିଳମ୍ବିତ ରାତିରେ ବାତିଲ କରି ଦିଆଯାଇଛି । ଅଧିକାରୀଙ୍କ କହିବା ଅନୁସାରେ ଭୂକମ୍ପ ଯୋଗୁଁ ମୃତ୍ୟୁ ସଂଖ୍ୟା ୮୨ରେ ପହଞ୍ଚିଛି । ଶତାଧିକ ଲୋକ ଆହତ ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । 

ଆମେରିକୀୟ ଜିଓଲଜିକାଲ ସର୍ଭେ ମୁତାବକ ଲମବୋକ ଦୀପ ଭୂକମ୍ପର କେନ୍ଦ୍ର ସ୍ଥଳ ଥିଲା । କୁହାଯାଉଛି ଯେ, ଭୂକମ୍ପର କେନ୍ଦ୍ର ଭୂ-ଭାଗର ୧୫ କିଲୋମିଟର ଭିତରେ ଥିଲା । ଭୂକମ୍ପ ପରେ ସରକାର ସୁନାମୀ ପାଇଁ ଚେତାବନୀ ଜାରି କରିଥିଲେ । ସମୁଦ୍ରକୂଳକୁ ନଯିବାପାଇଁ ସୂଚନା ଦେଇଥିଲେ । ଭୂକମ୍ପର ସମ୍ମୁଖୀନ ହେବା ପରେ ଲୋକେ ଘରୁ ବାହାରକୁ ପଳାଇଥିଲେ । 

ଉଦ୍ଧାର କାର୍ଯ୍ୟ ପାଇଁ ଚାଲିଥିବା ଅଭିଯାନର ଜଣେ ମୁଖପାତ୍ର ଅଗୁସ ହେଣ୍ଡା ସଞ୍ଜାୟା କହିଛନ୍ତି, ଭୂକମ୍ପରେ ୮୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ସେହିଭଳି ୧୦୦ ଜଣ ଲୋକ ଆହତ ହୋଇଛନ୍ତି । ସେ କହିଛନ୍ତି, ଭୂକମ୍ପ ପରେ ଜାରି କରାଯାଇଥିବା ସୁନାମୀ ଚେତାବନୀକୁ ବାତିଲ କରି ଦିଆଯାଇଛି । 

ଉଲ୍ଲେଖଯୋଗ୍ୟ ଏକ ସପ୍ତାହ ପୂର୍ବେ ଏହି ଦ୍ଵୀପରେ ହୋଇଥିବା ଭୂକମ୍ପରେ ୧୭ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ସେହି ସମୟରେ ଭୂକମ୍ପର ତୀବ୍ରତା ୬.୪ ରେକର୍ଡ କରାଯାଇଥିଲା।

 

  • Tags:

Subscribe

National International State Sports Entertainment