କିନସାସା,ଅକ୍ଟୋବର୦୬(ଖବର ଓଡ଼ିଶା):
କୋଙ୍ଗୋର ପଶ୍ଚିମ ପ୍ରାନ୍ତରେ ଏକ ରାଜମାର୍ଗରେ ଏକ ବଡ଼ ଦୁର୍ଘଟଣା ଘଟିଛି। ତୈଳ ଟ୍ୟାଙ୍କର ଅନ୍ୟ ଏକ ଗାଡି ସହିତ ଧକ୍କା ହେବାରୁ ପ୍ରାୟ ୫୦ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ନିଆଁରେ ଜଳି ଗୁରୁତର ଭାବେ ଆହତ ହୋଇଛନ୍ତି।
ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ କଙ୍ଗୋର କେନ୍ଦ୍ରୀୟ କ୍ଷେତ୍ରର ଗଭର୍ଣ୍ଣର ଅତୋଉ ମାତାବୁତାନାଙ୍କ ଅନୁଯାୟୀ ଟ୍ୟାଙ୍କର ଓ ଗାଡି ମଧ୍ୟରେ ଧକ୍କା ହେବାରୁ ତୈଳ ଟ୍ୟାଙ୍କର ଫାଟି ଯିବା ଫଳରେ ଏଥିରେ ୫୦ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଏହା ସହିତ ନିଆଁରେ ପୋଡ଼ି ୧୦୦ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ପ୍ରଶାସନ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ତ୍ଵରାନ୍ଵିତ କରିବା ସହିତ ଆହତଙ୍କୁ ଯଥା ସମ୍ଭବ ସହାୟତା ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ଉଲ୍ଲେଖଯୋଗ୍ୟ ମଧ୍ୟ ଆଫ୍ରିକା ଦେଶଗୁଡିକରେ ଯୁଦ୍ଧ ଓ ପ୍ରଶାସନ ଅଣଦେଖା କାରଣରୁ ସଡ଼କ ଗୁଡିକର ଅବସ୍ଥା ଶୋଚନୀୟ ରହିଛି। ଏଠାରେ ୨୦୧୦ରେ ଇନ୍ଧନରେ ଭରା ଟ୍ୟାଙ୍କର ଓଲଟି ପଡ଼ିବାରୁ ୨୩୦ ଜଣଙ୍କ ମୃତ୍ୟୁ ଘଟିଥିଲା।