ବାତ୍ୟା ‘ତିତଲି’ ଭୟ : ଔଷଧ, ଆବଶ୍ୟକ ମେଡିକାଲ ସୁବିଧା ପ୍ରସ୍ତୁତ ପାଇଁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ
Khabar Odisha:Odisha-Titli-Alert--Health-Department-wrote-leetter-to-collector
ଭୁବନେଶ୍ୱର, ୦୯ ଅକ୍ଟୋବର (ଖବର ଓଡ଼ିଶା):

 ବାତ୍ୟା ‘ତିତଲି’ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି। ବିଭାଗୀୟ ସଚିବ ପ୍ରମୋଦ ମେହେର୍ଦ୍ଦା ସମସ୍ତ ପ୍ରକାର ବ୍ୟବସ୍ଥା ପାଇଁ ୧୩ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଗଞ୍ଜାମ, ଗଜପତି, ପୁରୀ, ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡା,କଟକ,ଯାଜପୁର,ଭଦ୍ରକ,ବାଲେଶ୍ୱର, ବୌଦ୍ଧ ଓ କନ୍ଧମାଳର ଜିଲ୍ଲପାଳମାନଙ୍କୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚିଠିରେ ଉଲ୍ଲେଖନୁଯାୟୀ ପ୍ରତି ଜିଲ୍ଲା ପାଇଁ ଜଣେ ନୋଡାଲ ଅଫିସର ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜରୁରୀ ପରିସ୍ଥିତି ପାଇଁ ଜେନେରେଟର ମହଜୁଦ ରଖିବା ସହ ଅତ୍ୟାବଶ୍ୟକ ଔଷଧ, ଆବଶ୍ୟକ ମେଡିକାଲ ସୁବିଧା, ପ୍ରସୂତି କେନ୍ଦ୍ର ବା ମା’ ଗୃହକୁ ସ୍ଥାନାନ୍ତରଣ ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି।     

ଅପରପକ୍ଷରେ ଆସନ୍ତା କାଲିଠାରୁ ଠାରୁ ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ ୪ ଟି ଜିଲ୍ଲା ଗଞ୍ଜାମ, ଗଜପତି, ଜଗତସିଂହପୁର, ପୁରୀରେ ସ୍କୁଲ କଲେଜ ବନ୍ଦ ରହିବ । ଅଙ୍ଗନବାଡ଼ି କେନ୍ଦ୍ରମାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କାଲିର ପରିସ୍ଥିତିକୁ ଦେଖିଲା ପରେ ଅନ୍ୟ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯିବ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ୟାନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଏହା ଲାଗୁ କରାଯିବ । ସେହିପରି ଏହି ବାତ୍ୟା ପାଇଁ ଗଜପତି, ଗଂଜାମ, ଖୋର୍ଦ୍ଧା, ନୟାଗଡ଼, ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟ କ୍ଷତି ହେବାର ସମ୍ଭାବନା ଥିବାରୁ ବୟସ୍କ, ମହିଳା, ଶିଶୁ ଓ ଦିବ୍ୟାଙ୍ଗ ମାନଙ୍କୁ ନିକଟସ୍ଥ ବନ୍ୟା, ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବା ପାଇଁ ଏହି ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମୁଦ୍ରକୂଳ, ନଦୀକୂଳ ଓ ତଳିଆ ଅଂଚଳ ଲୋକମାନଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଅନ୍ୟାନ୍ୟ ଜିଲ୍ଲାପାଳ ମାନଙ୍କୁ ମଧ୍ୟ ଅନୁରୂପ ଭାବେ ନିର୍ଦ୍ଦେଶ ଦିଆଯାଇଛି । ମୁକାବିଲା ଏବଂ ଉଦ୍ଧାରକାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ କରିବା, ଆଶ୍ରୟସ୍ଥଳ ମାନଙ୍କରେ ଖାଦ୍ୟ ମହଜୁଦ ରଖିବା, ତିତିଲରେ କୌଣସି ବ୍ୟକ୍ତି ଯେପରି ମୃତ୍ୟୁବରଣ ନ କରନ୍ତି ସେଥିପ୍ରତି ଯତ୍ନବାନ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Subscribe

National International State Sports Entertainment