ବର୍ହି ସ୍ୱାସ୍ଥ୍ୟସେବାରେ ଓଡ଼ିଶାର ଉନ୍ନତ ପ୍ରଦର୍ଶନ
Khabar Odisha:Health-Odisha
ଭୁବନେଶ୍ୱର, ୦୬ ନଭେମ୍ବର(ଖବର ଓଡ଼ିଶା):

 ସ୍ୱାସ୍ଥ୍ୟସେବାରେ ଓଡ଼ିଶାର ଉନ୍ନତ ପ୍ରଦର୍ଶନ ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଠାରୁ ଅନେକ ପୁରସ୍କାର ପାଇଛନ୍ତି । ନିକଟରେ ବର୍ହି ସ୍ୱାସ୍ଥ୍ୟସେବାରେ(ଓପିଡି) ଉଲ୍ଲେଖନୀୟ ଅଗ୍ରଗତି ଯୋଗୁ ଓଡ଼ିଶା ସମଗ୍ର ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଠାରୁ ପୁରସ୍କାର ଓ ମାନପତ୍ର ପାଇଛନ୍ତି ।

ଆଜି ସଚିବାଳୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କେନ୍ଦ୍ର ସରକାରଙ୍କ ପୁରସ୍କାର ସହ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ରାଜ୍ୟର ସ୍ୱାସ୍ଥ୍ୟକ୍ଷେତ୍ରରେ ଅଗ୍ରଗତିରେ ତାଙ୍କର ମାର୍ଗଦର୍ଶନ ପାଇଁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସଚିବ ଶ୍ରୀ ପ୍ରମୋଦ ମେହେର୍ଦ୍ଦା ଓ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶ୍ରୀମତୀ ଶାଳିନୀ ପଣ୍ଡିତ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଓମସାର ସଭାପତି ଡଃ ନିରାକାର ରଥ ଓ ଓମଟାର ସଭାପତି ଡଃ ବିପିନ ବିହାରୀ ପ୍ରଧାନ ପ୍ରମୁଖ ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଯଥା ନିଦାନ, ନିରାମୟ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉଚ୍ଚ ପ୍ରଶଂସା କରିଥିଲେ । ଏହାଦ୍ୱାରା ସାଧାରଣ ଲୋକମାନେ ଘରୋଇ ଚିକିତ୍ସାଳୟ ଉପରେ କମ ନିର୍ଭରଶୀଳ ହେବା ସହିତ ସରକାରୀ ଚିକିତ୍ସା ସେବା ଉପରେ ଉଚ୍ଚ ଆସ୍ଥା ପ୍ରକଟ କରୁଛନ୍ତି । ଜିଲ୍ଲାଗୁଡ଼ିକରେ ମେଡ଼ିକାଲ କଲେଜ ଖୋଲାଯିବା ଦ୍ୱାରା ବର୍ହି ସ୍ୱାସ୍ଥ୍ୟ ବିଭାଗରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି ବୋଲି ଡଃ ପ୍ରଧାନ କହିଥିଲେ । ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ପ୍ରତିଷ୍ଠା ପରେ କୋରାପୁଟରେ ଓପିଡି ରୋଗୀଙ୍କ ସଂଖ୍ୟା ଦୈନିକ ୨୦୦ରୁ ୮୦୦କୁ ବୃଦ୍ଧି ପାଇଛି ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସଫଳତା ପାଇଁ ଓମସା ଓ ଓମଟା ପକ୍ଷରୁ ଡାକ୍ତରମାନେ ନିଷ୍ଠାର ସହ କାର୍ଯ୍ୟ କରିବ ବୋଲି ସେମାନେ କହିଥିଲେ ।

ଏଠାରେ ଉପସ୍ଥିତ ନର୍ସିଂ ସଂଘର ସାଧାରଣ ସମ୍ପାଦିକା ଶ୍ରୀମତୀ ପ୍ରଭାତୀ ମହାନ୍ତି, କଟକ ଜିଲ୍ଲାର ଆଶାକର୍ମୀ ପ୍ରତିମା ସାମଲ, ଭୁବନେଶ୍ୱରର ନଳିନୀ ସାହୁ ଓ ବାଲିଅନ୍ତାର ନମିତା ସାହୁ ପ୍ରମୁଖ ଆଶାକର୍ମୀମାନେ ସରକାରଙ୍କ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମର ସଚେତନତା ଓ ସେବା କ୍ଷେତ୍ରରେ ସେମାନେ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି ଏବଂ ଆଗକୁ ମଧ୍ୟ ସେମାନଙ୍କର ସହଯୋଗ ଜାରି ରହିବ ବୋଲି କହିଥିଲେ।

Subscribe

National International State Sports Entertainment