ଚାଷୀଙ୍କୁ ଯଦି ଭୁବନେଶ୍ୱର ମନା, ନେତାଙ୍କୁ ବି ଗାଁ ମନା, ମନ୍ତ୍ରୀସ୍ତରୀୟ କମିଟି ଏକ ଧୋକା: ଚାଷୀ ନେତା
Khabar Odisha:Farmers-Strikes-Row-Odisha
ଭୁବନେଶ୍ୱର, ନଭେମ୍ବର ୦୫(ଖବର ଓଡ଼ିଶା):

ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଥିବା ବେଳେ ଏହାକୁ ଏକ ଧୋକା ବୋଲି କହିଛନ୍ତି ଚାଷୀ ନେତା ଅକ୍ଷୟ କୁମାର। ଏହାସହ ଚାଷୀଙ୍କୁ ପୋଲିସ ଅଟକେଇବା ପ୍ରସଙ୍ଗରେ ସେ କ୍ଷୋଭ ପ୍ରକାଶ କରି କହିଛନ୍ତି ଚାଷୀଙ୍କୁ ଯଦି ଭୁବନେଶ୍ୱର ମନା, ତେବେ ନେତାଙ୍କୁ ବି ଗାଁ ମନା ।    

ଚାଷୀ ନେତାଙ୍କ କହିବାନୁଯାୟୀ, ଚାଷୀଙ୍କୁ ଭତ୍ତା ପାଇଁ ମନ୍ତ୍ରିସ୍ତରୀୟ କମିଟି ଗଠନ କରାଯାଇନାହିଁ। ଆମର ଦାବି ପୂରଣ ନହେଲା ପର୍ଯ୍ୟନ୍ତ ଆମେ କଆଡେ ଯିବୁ ନାହିଁ, ଏଇଠି ବସିବୁ। ଲଢେଇ ତୀବ୍ରତର ହେବ। ପ୍ରତି ବ୍ଲକ ଓ ଗାଁକୁ ଆନ୍ଦୋଳନ ବ୍ୟାପକ ହେବ। ଚାଷୀଙ୍କୁ ଯଦି ଭୁବନେଶ୍ୱର ଆସିବାକୁ ମନାକରାଯାଉଛି, ତେବେ ନେତାଙ୍କୁ ବି ଗାଁ ମନା । କୌଣସି ନେତା ଭୋଟ ମାଗିବାକୁ ଗାଁକୁ ଯାଇପାରିବେ ନାହିଁ। ଭୋଟ ଗ୍ରହଣ ପାଇଁ ପୋଲିଂ ବାକ୍ସ ଗାଁକୁ ଯାଇପାରିବ ନାହି ବୋଲି କ୍ଷୋଭ ପ୍ରକାଶ କରି କହିଛନ୍ତି ଚାଷୀ ନେତା ଅକ୍ଷୟ କୁମାର।

ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗରେ କହିଛନ୍ତି ୮ ବର୍ଷ ଧରି ଚାଷୀମାନେ ଆନ୍ଦୋଳନ ଚଳାଇଛନ୍ତି। ପୂର୍ବରୁ ସରକାରଙ୍କ ନିଦ ଭାଙ୍ଗୁନଥିଲା । ନିର୍ବାଚନ ଥିବାରୁ ସମୟ ଗଡ଼ାଇବା ପାଇଁ କମିଟି ଗଠନ କରାଯାଇଛି ବୋଲି ସେ କହିଛନ୍ତି। 

ଉଲ୍ଲେଖନୀୟ ଯେ, ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଓ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ରହିଛନ୍ତି । କମିଟିର ବୈଠକରେ ଚାଷୀଙ୍କ ଟର୍ମ ଅଫ୍‌ ରେଫରେନ୍ସ ନେଇ ଆଲୋଚନା କରାଯିବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି । ଅର୍ଥମନ୍ତ୍ରୀ ସଫେଇ ଦେଇଛନ୍ତି ଯେ ଚାଷୀଙ୍କ ଅନୁକୂଳ ନେଇ ରାଜ୍ୟ ସରକାର ଅନେକ ନିଷ୍ପତ୍ତି ନେଇଛନ୍ତି । କୃଷି ବଜେଟ୍‌ ହୋଇଛି ଓ କୃଷି କ୍ୟାବିନେଟ୍‌ ମଧ୍ୟ ଗଠନ କରାଯାଇଛି ବୋଲି କହିଛନ୍ତି। 

Subscribe

National International State Sports Entertainment