ଚିର ନିଦ୍ରାରେ ୮୦ ଓ ୯୦ ଦଶନ୍ଧିର ସୁପରହିଟ୍ ଗାୟକ ମ. ଅଜିଜ
Khabar Odisha:mohammed-aziz-aka-munna-bhai-bollywood-singer-died
ନୂଆଦିଲ୍ଲୀ,ନଭେମ୍ବର୨୭(ଖବର ଓଡ଼ିଶା):

 ୮୦ ଓ ୯୦ ଦଶନ୍ଧିରେ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଗୀତ ଗାଇଥିବା ଗାୟକ ମହମ୍ମଦ. ଅଜିଜଙ୍କ ଆଜି ପରଲୋକ ଘଟିଛି। ୬୪ ବର୍ଷ ବୟସରେ ସେ ନିଜର ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ଅଜିଜ ସୋମବାର ରାତିରେ କୋଲକାତାରେ ଥିଲେ, ମଙ୍ଗଳବାର ସେ ମୁମ୍ବାଇ ପହଞ୍ଚିଥିଲେ। ମାତ୍ର ଅପରାହ୍ନ ପ୍ରାୟ ୩ଟାରେ ତାଙ୍କର ସ୍ଵାସ୍ଥ୍ୟ ବିଗିଡିଥିଲା।  ମହମ୍ମଦ ଅଜିଜଙ୍କ ଝିଅ ସାନା  ପିତାଙ୍କ ମୃତ୍ୟୁ ଖବର ଦେଇଛନ୍ତି। ଏଥି ସହିତ  ‘ଜଗା ହାତରେ ପଘା’ ଚଳଚ୍ଚିତ୍ରର  ‘ରୂପା ଶଗଡ଼ିରେ ସୁନା କନିଆ..’ ଗୀତ ଜରିଆରେ ଓଲିଉଡ୍‌ରେ ପ୍ରବେଶ କରିଥିବା ଅଜିଜଙ୍କ ସ୍ଵର ଆଜିଠୁ ସବୁଦିନ ପାଇଁ ନିରବ ହୋଇ ଯାଇଛି। 

ସୂଚନା ମୁତାବକ ଘରକୁ ଫେରିବା ସମୟରେ ବିମାନ ବନ୍ଦରରେ ଅଜିଜଙ୍କ ହୃଦ ସମସ୍ୟା ଦେଖାଯାଇଥିଲା ଏବଂ ସେ ଅସୁସ୍ଥ ହୋଇପଡ଼ିଥିଲେ।  ଏହା ପରେ ଡ୍ରାଇଭର ତାଙ୍କୁ ନାନାବତୀ ହସ୍ପିଟାଲରେ ପହଞ୍ଚାଇଥିଲେ ଏବଂ ତାଙ୍କ ଝିଅଙ୍କୁ ଏହାର ସୂଚନା ଦିଆଯାଇଥିଲା। ମାତ୍ର ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। 

୧୯୫୪ ଜୁଲାଇରେ ୨ରେ ପଶ୍ଚିମବଙ୍ଗର ଅଶୋକ ନଗରରେ ଅଜିଜ ଜନ୍ମ ଗ୍ରହଣ କରିଥିଲେ। ଅଜିଜ୍ ହିନ୍ଦୀ ଫିଲ୍ମ ବ୍ୟତୀତ ବଙ୍ଗାଳି, ଓଡ଼ିଆ ଓ ଅନ୍ୟ ଆଞ୍ଚଳିକ ଭାଷାର ଫିଲ୍ମରେ ଗୀତ ଗାଇଛନ୍ତି। ଅଜିଜ ମହମ୍ମଦ ରଫିଙ୍କ ବହୁତ ବଡ଼ ପ୍ରଶଂସକ ଥିଲେ।  ଅନୁ ମଲିକ ବଲିଉଡରେ ତାଙ୍କୁ ବ୍ରେକ ଦେଇଥିଲେ।  ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ମର୍ଦ’ର ଟାଇଟଲ ସଙ୍ଗ ‘ମୈ ହୁଁ ମର୍ଦ ତାଙ୍ଗେ ଓ୍ଵାଲା’ରୁ ଅଜିଜ ରାତାରାତି ତାରକା ପାଲଟି ଯାଇଥିଲେ। ଉଲ୍ଲେଖଯୋଗ୍ୟ ଅଜିଜ୍ ଅନେକ ଫିଲ୍ମରେ ହିଟ୍ ଗୀତ ଗାଇଛନ୍ତି।

ବିଶେଷ କରି ଅଜିଜ୍ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ନିଜର ସୁମଧୁର ସ୍ଵରରେ ବହୁ ମନଛୁଆଁ ଗୀତ ଉପହାର ଦେଇଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ବ୍ୟତୀତ ମହମ୍ମଦ ଅଜିଜ୍‌ ବହୁ ଓଡ଼ିଆ ଭଜନ ଓ ଆଲବମ୍‌ ଗୀତରେ କଣ୍ଠଦାନ କରିଛନ୍ତି। ପ୍ରଥମେ ସେ ୧୯୮୫ ମସିହାରେ ଅକ୍ଷୟ ମହାନ୍ତିଙ୍କ ନିର୍ଦ୍ଦେଶି ‘ଜଗା ହାତରେ ପଘା’ ଚଳଚ୍ଚିତ୍ରର  ‘ରୂପା ଶଗଡ଼ିରେ ସୁନା କନିଆ...’ ଗୀତ ଜରିଆରେ ଓଲିଉଡ୍‌ରେ ପ୍ରବେଶ କରିଥିଲେ। ଏହା ପରେ ସେ ଶତାଧିକ ଓଡ଼ିଆ ଗୀତ ଗାଇ ଓଡ଼ିଆ ଗୀତ ପ୍ରେମୀଙ୍କ ହୃଦରେ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ସେ ଗାଇଥିବା ଅନେକ ଗୀତ ସୁପର୍‌ହିଟ୍‌ ମଧ୍ୟ ହୋଇଛି।

Subscribe

National International State Sports Entertainment