ଟ୍ରେଡ ୟୁନିୟନର ବନ୍ଦ ଡାକରା: କାଲି ରାଜ୍ୟର ସମସ୍ତ ସ୍କୁଲ-କଲେଜ-ୟୁନିଭର୍ସିଟି ଛୁଟି
Khabar Odisha:tomorrow-school-closed-remain-due-to-hartal-from-trade-union
ଭୁବନେଶ୍ଵର,ଜାନୁଆରୀ ୦୭(ଖବର ଓଡିଶା):

 ବାମ ମୋର୍ଚ୍ଚା ସମର୍ଥିତ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନର ଦୁଇ ଦିନିଆ ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଆସନ୍ତାକାଲି ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ର ଏ ନେଇ ସୂଚନା ଦେଇଛନ୍ତି। ଏହା ସହିତ  ଆସନ୍ତାକାଲି ଅର୍ଥାତ ୮ତାରିଖ ସମସ୍ତ କଲେଜ- ବିଶ୍ଵ ବିଦ୍ୟାଳୟ ବନ୍ଦ ରହିବ ବୋଲି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଅାଯାଇଛି। ଉଲ୍ଲେଖଯୋଗ୍ୟ ଏହି ବନ୍ଦ ଆସନ୍ତାକାଲି ଅର୍ଥାତ ୮ ଓ ୯ ତାରିଖ ଦୁଇ ଦିନ ଧରି ଚାଲିବ। ଏହି ବନ୍ଦରେ କେବଳ ବ୍ୟାଙ୍କ ନୁହେଁ ବରଂ ବସ, ଟ୍ରେନ, ଓଟୋ ସେବା ବନ୍ଦ ରହିବା ସହିତ, ବଜାର ଓ ଅନ୍ୟ  କ୍ଷେତ୍ର ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି। ବନ୍ଦରେ ଅରବ କୋଟିର କାରବାର  ପ୍ରଭାବିତ ହେବାର ଆଶଙ୍କା ରହିଛି।

ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ ବିଭିନ୍ନ ଟ୍ରେଡ ୟୁନିୟନ ପକ୍ଷରୁ ଦୁଇ ଦିନିଆ ବନ୍ଦ ଡାକରା ଦେଇଛନ୍ତି। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତକାଲି  ଅର୍ଥାତ ଜାନୁଅାରୀ 8ରେ ରାଜ୍ୟର ସମସ୍ତ ସ୍କୁଲ-କଲେଜ ଛୁଟି ଘୋଷଣା କରିଛନ୍ତି। ବୁଧବାର ସ୍କୁଲ  ବନ୍ଦ ରହିବ ନା  ନାହିଁ କାଲି ନିଷ୍ପତ୍ତି ନିଆଯିବ ବୋଲି ସଚିବ କହିଛନ୍ତି। 

ସୂଚନା ଲୋକ ସଂପର୍କ ବିଭାଗ କହିଛି ଯେ ବନ୍ଦ ଡାକରା ଯୋଗୁଁ  ୮ତାରିଖ  ରାଜ୍ୟର ସମସ୍ତ କଲେଜ- ୟୁନିଭର୍ସିଟି ବନ୍ଦ ରହିବ। ଟ୍ରେଡ ୟୁନିୟନର ବନ୍ଦ ଡାକାରା ଯୋଗୁଁ ଏହି ଛୁଟି  ଘୋଷଣା କରାଯାଇଛି ବାେଲି ବିଭାଗ ପକ୍ଷରୁ ସୂଚନା ଦିଅାଯାଇଛି।

ଏହି କାରଣରୁ ହେବ ବନ୍ଦପାଳନ

ଶ୍ରମିକ ସଙ୍ଗଠନ କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ଦୁଇ ଦିନିଆ ଭାରତ ବନ୍ଦ ଡାକରାର ଆହ୍ଵାନ  ଦେଇଛି। ସଙ୍ଗଠନ ଅଭିଯୋଗ କରିଛି ଯେ ନୋଟବନ୍ଦୀ, ଜିଏସଟି ଯୋଗୁଁ ବ୍ୟବସାୟୀଙ୍କୁ ବହୁତ ମୁସ୍କିଲରେ ନିଜର ବ୍ୟବସାୟ କରିବାକୁ ପଡ଼ିଛି। ଏହା ସହିତ କେନ୍ଦ୍ର ସରକାର କାରୋବାରୀଙ୍କ ବିରୁଦ୍ଧରେ ଦମନକାରୀ  ନୀତି ଚଳାଇଛି। 

ବ୍ୟାଙ୍କରେ ପଡିବ ପ୍ରଭାବ

ଏହି ବନ୍ଦର ପ୍ରଭାବ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ମଧ୍ୟ ପଡ଼ିବ। କୋଟି କୋଟି ଟଙ୍କାର କ୍ଲିୟରାନ୍ସ ମଧ୍ୟ ପ୍ରଭାବିତ ହେବ। ଏଥିରେ ବ୍ୟବସାୟୀଙ୍କ କାମ ଅଟକିବା ସହିତ  ଅନେକ ସରକାରୀ କାର୍ଯ୍ୟ ମଧ୍ୟ ପ୍ରଭାବିତ ହେବ। ରିୟଲ ଟାଇମ ଗ୍ରୋସ ସେଟେଲମେଣ୍ଟ(ଆରଟିଜିସିଏସ) ଓ ନ୍ୟାସନାଲ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର(ଏନଇଏଫଟି) ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ(ଏନପିସିଆଇ)ର ଗେଟଓ୍ଵେ ମାଧ୍ୟମରେ ହୋଇଥାଏ।

ସାରା ଦେଶରେ ପ୍ରତ୍ୟେକ ମାସରେ ହାରାହାରି ଏକ ଲକ୍ଷ ଅରବ ଟଙ୍କା ଆରଜିଟିଏସ ଓ ପ୍ରାୟ ୧୫୩୫୦ ଅରବ ଟଙ୍କା ଏନଇଏଫଟି  ଜରିଆରେ ଟ୍ରାନ୍ସଫର ହୋଇଥାଏ। ଇଲେକ୍ଟ୍ରୋନିକ ପେମେଣ୍ଟ ସିଷ୍ଟମର ଏହି ଦୁଇ ବଡ଼ ଗେଟଓ୍ଵେ ବନ୍ଦ ହେବାର ପ୍ରଭାବ ବ୍ୟାଙ୍କିଙ୍ଗ ଦେଣନେଣ ଉପରେ ପଡ଼ିବ। 

ସରକାରୀ ବ୍ୟାଙ୍କ  ଉପରେ ସବୁଠୁ ଅଧିକ ପ୍ରଭାବ

ଜାନୁଆରୀ ୮ ଓ ୯ ତାରିଖରେ ହେବାକୁ ଥିବା ଏହି ହଡ଼ତାଳରେ ବ୍ୟାଙ୍କର ୧୦ଟି ସଂଗଠନ ସାମିଲ ହେଉଛନ୍ତି। ଏହି ଦୁଇ ଦିନରେ ବ୍ୟାଙ୍କର କୌଣସି କର୍ମଚାରୀ କାମ କରିବେ ନାହିଁ। 

Subscribe

National International State Sports Entertainment