ସୋମବାର ରାଜ୍ୟର ସବୁ ସ୍କୁଲ ଛୁଟି
Khabar Odisha:Monday-All-School-Closed-of-Odisha
ଭୁବନେଶ୍ୱର, ୦୮ ସେପ୍ଟେମ୍ବର(ଖବର ଓଡ଼ିଶା):

ଆସନ୍ତା ସୋମବାର ରାଜ୍ୟର ସବୁ ସ୍କୁଲ ବନ୍ଦ ରହିବ। ସେଦିନ କଂଗ୍ରେସର ଭାରତ ବନ୍ଦ ଡାକରା ଫଳରେ ରାଜ୍ୟ ସରକାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରିଛନ୍ତି। କୌଣସି ବିଶୃଙ୍ଖଳା ପରିସ୍ଥିତି ନଉପୁଜିବା ପାଇଁ ସରକାର ଏହି ନିଷ୍ପତି ନେଇଛନ୍ତି। ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି।  

ସୂଚନାଯୋଗ୍ୟ, ଆସନ୍ତା ୧୦ ତାରିଖ ଦିନ ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ବନ୍ଦ ଡାକରା ଦେଇଛି। ଓଡିଶା ସମେତ ସବୁ ୨୯ଟି ରାଜ୍ୟରେ କଂଗ୍ରେସ ବନ୍ଦ ପାଳନ କରିବ। ପେଟ୍ରୋଲ ଓ ଡିଜେଲର ବଢୁଥିବା ଦରକୁ ନେଇ କେନ୍ଦ୍ରର ମୋଦୀ ସରକାରକୁ ଘେରିବା ପାଇଁ କଂଗ୍ରେସ ଏହି ଭାରତ ବନ୍ଦ ଡାକରା ଦେଇଛି। ଏହି ଭାରତ ବନ୍ଦ ସକାଳ ୬ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଜାରି ରହିବ। ତେବେ ପରୀକ୍ଷାର୍ଥୀ ପିଲା, ଜରୁରୀକାଳୀନ ସେବା ଯଥା ଆମ୍ବୁଲାନ୍ସ ଏଥିରୁ ବାଦ୍ ରହିବ ବୋଲି ରାଜ୍ୟ କଂଗ୍ରେସର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ତେଣୁ କଂଗ୍ରେସର ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ସରକାର ପ୍ରତିଷେଧମୂଳକ ପଦକ୍ଷେପ ନେଇଛନ୍ତି।        

ପ୍ରକାଶ ଥାଉ କି, ଏହି ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ସକାଳ ୯ଟା ୩୦ ସୁଦ୍ଧା ଅଫିସ୍‌ରେ ପହଞ୍ଚିବାକୁ ସଚିବାଳୟ କର୍ମଚାରୀଙ୍କ ପାଇଁ ଗୃହ ବିଭାଗ ଗତକାଲି ନୋଟିସ କରିଥିଲା। ସୁରକ୍ଷା କାରଣରୁ ସଚିବାଳୟର ଫାଟକ ଦିନ ୧୦ଟା ୧୫ରେ ବନ୍ଦ ହେବ । ରାଜଧାନୀରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଭୁବନେଶ୍ୱର କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୭୨ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିବା ଜଣାପଡ଼ିଛି । 

  • Tags:

Subscribe

National International State Sports Entertainment