‘ତିତଲି’ ପାଇଁ ସରକାରଙ୍କ ଆଗୁଆ ପଦକ୍ଷେପ, ୪ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ
Khabar Odisha:
ଭୁବନେଶ୍ୱର, ୯ ଅକ୍ଟୋବର (ଖବର ଓଡିଶା):

 ବାତ୍ୟା ‘ତିତଲି’ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଲାଇଥିବା ବେଳେ ଆସନ୍ତାକାଲି ଠାରୁ ରାଜ୍ୟର ୪ ଜିଲ୍ଲାରେ ସମସ୍ତ କଲେଜ ଓ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସବୁ ଜିଲ୍ଲା ଗୁଡିକ ହେଲା ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର। ଏହାସହ ଏହି ସବୁ ଜିଲ୍ଲାରେ ଅଙ୍ଗନୱାଡିକୁ ମଧ୍ୟ ବନ୍ଦ ରଖିବାକୁ ସରକାର କହିଛନ୍ତି। 

ବାତ୍ୟା ତିତଲିକୁ ନେଇ ରାଜ୍ୟ ସଚିବାଳୟରେ ମଙ୍ଗଳବାର ଏକ ସମୀକ୍ଷା ବୈଠକ ବସିଥିଲା। ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇ କହିଛନ୍ତି ଯେ ଆସନ୍ତାକାଲି ଠାରୁ ବାତ୍ୟାରେ ସର୍ବାଧିକ ପ୍ରଭାବିତ ହେବାକୁ ସମ୍ଭାବନା ଥିବା ଉପରୋକ୍ତ ଜିଲ୍ଲାର ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ କରିବାକୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କାଲି ପରିସ୍ଥିତି ଦେଖିବା ପରେ ରାଜ୍ୟର ଅନ୍ୟ ଜିଲ୍ଲା କଥା ବିଚାରକୁ ନିଆଯିବ ବୋଲି ସେ କହିଛନ୍ତି। 

ସେହିପରି ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି ବୁଧବାର ସଂଧ୍ୟା ସୁଦ୍ଧା ବାତ୍ୟାର ତୀବ୍ରତା ନେଇ ସ୍ପଷ୍ଟ ହୋଇଯିବ । ପରେ ପରିସ୍ଥିତି ଦେଖି ଅନ୍ୟାନ୍ୟ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।    

Subscribe

National International State Sports Entertainment