ପୁଣି ମାଓ ବର୍ବରତା, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କ ସ୍ୱାମୀଙ୍କୁ ହତ୍ୟା
Khabar Odisha:Maoist-killed-one-in-Malkangiri-border-Chhatisgarh
ମାଲକାନଗିରି, ନଭେମ୍ବର ୦୮ (ଖବର ଓଡ଼ିଶା):

ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ପାପୁଲୁ ଠାରେ ପୋଲିସର  ଏନକାଉଣ୍ଟର ପରେ ବି ସୁଧୁରିନି ମାଓବାଦୀ ସଂଗଠନ । କ୍ରମାଗତ ଭାବେ ହିଂସାତ୍ମକ କାଣ୍ଡ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ ପୁଣି ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ମାଓ ବର୍ବରତା ଦଖିବାକୁ ମିଳିଛି । ଜଣେ ସରପଞ୍ଚଙ୍କ ସ୍ୱାମୀଙ୍କୁ ଘରୁ ଡାକି ନେଇ ନିର୍ମମ ଭାବରେ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ଜଣକ ବଡକ ଗାଁର କଲମ ଗୁରୁଆ ବୋଲି ଜଣାପଡ଼ିଛି। ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ତାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି।

ଗୁରୁବାର ସକାଳୁ ପ୍ରାୟ ୧୫ରୁ ୨୦ ଜଣ ମାଓବାଦୀ ସଶସ୍ତ୍ର କଲମ ଗୁରୁଆଙ୍କ ଘରେ ପଶି ତାଙ୍କୁ ଡାକି ନେଇଥିଲେ । ପରେ ଗାଁ ପାଖ ଜଙ୍ଗଲକୁ ନେଇ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଅଘଟଣ ପରେ ଛତିଶଗଡ ପୋଲିସ କମ୍ବିଂ ଅପରେସନ ଜୋରଦାର କରିଛି।  

ଆସନ୍ତା ୧୨ ତାରିଖରେ ଛତିଶଗଡରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବାବେଳେ ଏହା ପୂର୍ବରୁ ମାଓବାଦୀମାନେ ସେମାନଙ୍କର ସ୍ଥିତି ଜାହିର କରିଛନ୍ତି । ଏହି ଅଂଚଳରେ ଦୀର୍ଘବର୍ଷ ଧରି ଭୋଟ କରାଇ ଦେଉ ନ ଥିବା ମାଓ ସଂଗଠନ ନିର୍ବାଚନ ପୂର୍ବରୁ ସାଧାରଣ ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଛି । 

ପ୍ରକାଶ ଥାଉ କି, ଗତ ସୋମବାର ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ପାପୁଲୁର ନିକଟସ୍ଥ ସନ୍ନ୍ୟାସୀଗୁଡା ଜଙ୍ଗଲରେ ସଓଜି ଓ ଡିଭିଏଫ୍ ଯବାନଙ୍କ ମିଳିତ ଅପରେସନରେ ୫ କ୍ୟାଡର ନକ୍ସଲ ନିପାତ ହୋଇଥିଲେ। ଏହାସହ ସନ୍ନ୍ୟାସୀଗୁଡା ଜଙ୍ଗଲରେ ଥିବା ନକ୍ସଲ କ୍ୟାମ୍ପକୁ ବି ଧ୍ୱଂସ କରାଯାଇଥିଲା। ଏହାବ୍ୟତିତ ଘଟଣାସ୍ଥଳରୁ ୨ଟି ଏସ୍‌ଏଲ୍‌ଆର୍‌ ରାଇଫଲ୍‌, ଗୋଟିଏ ଇନ୍‌ସାସ୍‌ ରାଇଫଲ୍‌, ଗୋଟିଏ ଥ୍ରୀ ନଟ୍ ଥ୍ରୀ ରାଇଫଲ୍‌, ଗୋଟିଏ ହ୍ୟାଣ୍ଡ୍ ଗ୍ରେନେଡ୍ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଥିଲା।  ମାଓ ଦମନ କ୍ଷେତ୍ରରେ ଏହା ବେଷ୍ଟ୍ ଅପରେସନ୍ ବୋଲି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରକାଶ କରିଥିଲେ।  

Subscribe

National International State Sports Entertainment