ଫିଟୁଛି ଗୁମର: ବିଦେଶୀ ଟଙ୍କାରେ ଚାଲୁଥିଲା ସେଲଟର ହୋମ, ବର୍ଷକୁ ଆସୁଥିଲା ୧୫ କୋଟି
Khabar Odisha:Dhenkanal-Shelterhome-Row
ଢେଙ୍କାନାଳ, ୦୫ ଡିସେମ୍ବର (ଖବର ଓଡିଶା):

 ଢେଙ୍କାନାଳ ବେଲଟିକିରି ସ୍ଥିତ ଗୁଡ୍ ଇଣ୍ଡିଆ ଡ୍ରିମ ହାଉସ ସେଲଟର ହୋମରେ ଯୌନ ନିର୍ଯ୍ୟାତନା ଘଟଣା ଲିଙ୍କର ଅନେକ ଗୁମର ତଥ୍ୟ ଧୀରେଧୀରେ ପଦାକୁ ଆସିବାରେ ଲାଗିଛି। ସେଲଟର ହୋମର ଅଧ୍ୟକ୍ଷ ଡ. ଫୟାଜ ରେହମାନ ଓରଫ ଡାଡ଼ିଙ୍କୁ ଜିଲ୍ଲାର ସଦର ପୋଲିସ ରିମାଣ୍ଡରେ ନେଇ ପରଚାଉଚୁରା କରିବା ପରେ ବିଭିନ୍ନ ଚାଞ୍ଚଲ୍ୟକର ତଥ୍ୟ ସଂଗ୍ରହ କରିବାରେ ସକ୍ଷମ ହୋଇଛି ପୋଲିସ। ହୋମକୁ ପରିଚାଳିତ କରିବା ପାଇଁ ବିଭିନ୍ନ ସୂତ୍ରରୁ ବାର୍ଷିକ ପ୍ରାୟ ୧୬ କୋଟି ଟଙ୍କା ଆସୁଥିଲା। ତନ୍ମଧ୍ୟରୁ ପ୍ରାୟ ୧୪ ରୁ ୧୫ କୋଟି ଟଙ୍କା ବିଦେଶରୁ ଆସୁଥିଲା। ବିନା କୌଣସି ପଞ୍ଜିକରଣରେ ହୋମ ପରିଚାଳିତ ହେଉଥିଲା ବୋଲି ଢେଙ୍କାନାଳ ଏସପି ସନ୍ତୋଷ ନାୟକ ସୂଚନା ଦେଇଛନ୍ତି।  

ଏସପିଙ୍କ ସୂଚନାନୁସାରେ, ସେଲଟର ହୋମର ଅଧ୍ୟକ୍ଷ ଫୟାଜ ରେହମାନଙ୍କୁ ୨ ଦିନ ରିମାଣ୍ଡରେ ନିଆଯାଇଛି । ପ୍ରଥମ ଦିନ ରିମାଣ୍ଡରେ ବହୁ ତଥ୍ୟ ସାମନାକୁ ଆସିଛି। ହୋମକୁ ଚଳାଇବା ପାଇଁ ଅଭିଯୁକ୍ତ ରେହମାନର ପାଣ୍ଠିକୁ ବିପୁଳ ମାତ୍ରାରେ ଟଙ୍କା ଆସୁଥିଲା । ବିଭିନ୍ନ ସୂତ୍ରରୁ ବାର୍ଷିକ ପ୍ରାୟ ୧୬ କୋଟି ଟଙ୍କା ଆସୁଥିଲା। ତନ୍ମଧ୍ୟରୁ ପ୍ରତି ବର୍ଷ ପ୍ରାୟ ୧୪ ରୁ ୧୫ କୋଟି ଟଙ୍କା ବିଦେଶରୁ ଆସୁଥିଲା। ଏହି ଟଙ୍କା ପିଲାଙ୍କ ପଢା, ଜାଗା କିଣା ଓ ଘର ତିଆରିରେ ଖର୍ଚ୍ଚ କରାଯାଉଥିଲା। ୟୁଏସଏରୁ ଡଲାର ଆକାରରେ ଏହି ଟଙ୍କା ଆସି ପ୍ରଥମେ ପଶ୍ଚିମବଙ୍ଗ ସାଲଗଡିଆ ଆକାଉଂଟକୁ ଆସିଥାଏ ଏବଂ ପରେ ଭୁବନେଶ୍ୱରର ଏସବିଆଇ ମୁଖ୍ୟ ଶାଖାକୁ ଆସିଥାଏ ବୋଲି ସେ କହିଛନ୍ତି।

ତେବେ ଢେଙ୍କାନାଳ ସେଲଟର ହୋମଟି ପଶ୍ଚିମ ମେଦନାପୁର ସାଲଗଡିଆରେ ୧୯୬୧ ମସିହାରେ ପଶ୍ଚିମବଙ୍ଗ ସରକାରଙ୍କର ସୋସାଇଟି ଆକ୍ଟରେ ରେଜିଷ୍ଟ୍ରସନ୍ ହୋଇଛି। ଓଡ଼ିଶାର କୌଣସି ଆକ୍ଟରେ ତାହା ପଞ୍ଜିକରଣ ହୋଇନାହିଁ। ଯେଉଁ ଧର୍ମାନ୍ତରୀକରଣର ଭିଡିଓ ଭାଇରାଲ ହୋଇଛି ତାହା ଓଡ଼ିଶାର ନୁହେଁ, ଫଶ୍ଚିମବଙ୍ଗ ସାଲଗଡିଆର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଡେଙ୍କାନାଳ ପୋଲିସର ଏକ ଟିମ୍ ଏହି ମାମଲାର ଯାଞ୍ଚ କରୁଛନ୍ତି। ତେବେ ଅଧିକ ତଥ୍ୟ ସଂଗ୍ରହ ପାଇଁ ରେହମାନଙ୍କୁ ପୁଣି ଅଧିକ ୨ରୁ ୩ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରାଯିବ ବୋଲି ଏସପି ଶ୍ରୀ ନାୟକ କହିଛନ୍ତି। 

Subscribe

National International State Sports Entertainment