ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗରେ ସ୍ଵାମୀ ଲିପନ ସାହୁ ଗିରଫ
Khabar Odisha:Chauliaganj-police-arrested-Actress-Nikitas-husband
କଟକ, ଜାନୁଆରୀ ୦୭(ଖବର ଓଡିଶା):

 ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲାରେ ଏବେ ଆସିଛି ଭିନ୍ନ ମୋଡ। ପ୍ରଥମେ ସ୍ଵାଭାବିକ ମୃତ୍ୟୁର ରୂପ ନେଉଥିବା ଏହି ମାମଲାରେ ମୃତ ଅଭିନେତ୍ରୀ ନିକିତାଙ୍କ ସ୍ଵାମୀ ଲିପନ ସାହୁଙ୍କୁ ପୋଲିସ ଗିରଫ କରିଛି। ଆଜି ଦିନ ତମାମ ମାରାଥନ ଜେରା ପରେ ଚାଉଳିଆଗଞ୍ଜ ପୋଲିସ ଲିପନଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରିଛି। ନିକିତାଙ୍କ ବାପା ସନାତନ ବେହେରା ଝିଅର ହତ୍ୟା ହୋଇଥିବା ନେଇ କଟକର ଚାଉଳିଆଗଞ୍ଜ ଥାନାରେ ଗତକାଲି ଦେଇଥିବା ଏତଲା ଆଧାରରେ ପୋଲିସ ଆଜି ଏହି କାର୍ଯ୍ୟାନୁଷ୍ଠାନ ଉଠାଇଛି। 

ସୂଚନା ମୁତାବକ ନିକିତାଙ୍କ ବାପାଙ୍କ ଏତଲା ଆଧାରରେ ଚାଉଳିଆଗଞ୍ଜ ପୋଲିସ  ସ୍ଵାମୀ ଲିପନ ସାହୁଙ୍କୁ ଗତକାଲିଠୁ ଥାନାରେ ଅଟକ ରଖି ପଚରା ଉଚୁରା କରିଥିଲେ। ଗିରଫ ପରେ କାଲି ଲିପନଙ୍କୁ କୋର୍ଟ ଚାଲାଣ୍ଡ କରିବ ବୋଲି ପୋଲିସ କହିଛି। ପ୍ରମାଣ  ମିଳିଲେ ଶାଶୂ ଓ ଶ୍ଵଶୂରଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ କହିଛି।

ଏହି ମାମଲାର ଗମ୍ଭୀରତାକୁ ଦେଖି ଆଜି 3ଟି ସ୍ଵତନ୍ତ୍ର ଟିମ୍  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଡିଏଫଏସଏଲ, ଏଫଏମଟି ଓ ଚାଉଳିଆଗଞ୍ଜ ପୋଲିସ ତଦନ୍ତ କରିଥିଲେ ବୋଲି କମିସନରେଟ ପୋଲିସ ସୂଚନା ଦେଇଛି। 

ଗତକାଲି ନିକିତାଙ୍କ ବାପା କରିଥିଲେ ଅଭିଯୋଗ

ଏହା ପୂର୍ବରୁ ଗତକାଲି ନିକିତାଙ୍କ ବାପା ନିକିତାଙ୍କ ସ୍ୱାମୀ ଓ ଶାଶୁଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ। ସୂଚନାଯୋଗ୍ୟ ଶନିବାର ସନ୍ଦେହଜନକ ଭାବେ ନିକିତାଙ୍କର ଘର ଛାତରୁ ପଡ଼ି ମୃତ୍ୟୁ ଘଟିଥିଲା। ଅଭିଯୋଗ ପରେ ପୋଲିସ ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲେ।  

ଉଲ୍ଲେଖଯୋଗ୍ୟ ଗତକାଲି ନିକିତା କଟକ ମହାନଦୀ ବିହାର ସ୍ଥିତ ତାଙ୍କ ବାପା ଘର ଛାତ ଉପରୁ ଖସି ପଡ଼ିଥିଲେ । ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା। ଏହା ପରେ ପୁରୀ ସ୍ଵର୍ଗ ଦ୍ଵାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।

2016ରେ କରିଥିଲେ ବିବାହ

୨୦୧୬ ମସିହାରେ ନିକିତା କଟକ ଗୋପାଳପୁରର ବାସିନ୍ଦା ଅଭିନେତା ଲିପୁନ ‌ସାହୁଙ୍କୁ ବିବାହ କରିଥିଲେ। ନିକିତାଙ୍କର ୪ ମାସର ଏକ ଶିଶୁ ପୁତ୍ର ଅଛି। ବିବାହ ପରଠୁ ସେ ପ୍ରାୟତଃ ମହାନଦୀବିହାର ସ୍ଥିତ ନିଜ ବାପଙ୍କ ଘରେ ରହୁଥିଲେ। ସ୍ଵାମୀ ଲିପୁନ୍‌ ସେଠାକୁ ଯିବା ଆସିବା କରୁଥିଲେ। ଶୁକ୍ରବାର ରାତି ୧୦ଟାର ଘଟଣା ସମୟରେ ନିକିତା ମହାନଦୀ ବିହାରରେ ଥିଲେ। ସେହି ସମୟ‌ରେ ତାଙ୍କ ବାପା, ମା’ ଓ ସ୍ଵାମୀ ଲିପୁନ ବି ଘରେ ଥିଲେ।

କୁହାଯାଉଛି ଯେ ସେ ହଠାତ୍‌ ଛାତରୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମହାନଦୀବିହାରସ୍ଥିତ ଏକ ଘରୋଇ ହସ୍ପିଟାଲ ଏବଚ ‌ପରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରୁ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ଶନିବାର ଦିନ ପ୍ରାୟ ୧୨ଟା ୩୦ରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। 

Subscribe

National International State Sports Entertainment