ଅପାଠୁଆ କୃଷି ବିଜ୍ଞାନୀ କମଳାଙ୍କ କମାଲ୍‌
Khabar Odisha: uneducated-lady-farmer-scientist-kamalas-achievement

ନାଁ ତାଙ୍କର କମଳା ପୂଜାରୀ,ଘର ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ପାତ୍ରପୁଟ ଗାଁରେ । ବିଦ୍ୟାଳୟ ବାରଣ୍ଡା ମାଡି ନଥିବା ଏହି ୬୬ ବର୍ଷ ବୟସ୍କା ନିରକ୍ଷର ଆଦିବାସୀ ମହିଳାଙ୍କ ନାମରେ ଓୟୁଏଟି ଛାତ୍ରୀ ନିବାସ ନାମିତ ହୋଇଛି । ବିଶ୍ୱକୁ ବିରଳ କଳାଜିରା ପ୍ରଜାତିର ଧାନ ଉପହାର ଦେଇଥିବାରୁ କୃଷି ବିଜ୍ଞାନୀଙ୍କ ସୂଚୀରେ ଯୋଡି ହୋଇଯାଇଛି କମଳାଙ୍କ ନାଁ ଓ କୀର୍ତ୍ତି । 
 
ଧାନ ପାଇଁ କୋରାପୁଟର ଅବଦାନ ଅବିସ୍ମରଣୀୟ । ଧାନର ଆଦିଭୂମି ଭାବେ କୋରାପୁଟକୁ ଚିହ୍ନିତ କରାଯାଇଥାଏ । ଦିନ ଥିଲା ଏଇ ମାଟିରୁ ବିକଶିତ ହେଉଥିଲା ହଜାର ହଜାର ପ୍ରଜାତିର ପାରମ୍ପାରିକ ଧାନ । ଦେଶୀ ପ୍ରଜାତିର ଧାନ ବିହନଗୁଡିକ ଲୋପ ପାଇ ଆସୁଥିବା ବେଳେ କମଳା ପ୍ରଥମେ ନିଜ ପରିବାରଠୁ ଆରମ୍ଭ କଲେ ବିହନ ସଂରକ୍ଷଣର ଅଭିଯାନ । ତା ପରେ ଘରକୁ ଘର ଓ ଗାଁକୁ ଗାଁ ଯାଇ ବିହନଗୁଡିକୁ ସାଇତି ରଖିବା ପାଇଁ ପ୍ରେରଣା ଦେବା ସହ ମାର୍ଗଦର୍ଶନ କଲେ ।
 
ପାରମ୍ପରିକ ଧାନ କିସମ ଯଥା କଳାଜିରା, ଗୟାଗଣ୍ଡା, ଆସାମ ଚୁଡି ଆଦିର ସଂରକ୍ଷଣ କ୍ଷେତ୍ରରେ କମଳା ପୂଜାରୀଙ୍କୁ ଆନ୍ତର୍ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି । ପାରମ୍ପରିକ ଧାନ କିସମକୁ ସଂରକ୍ଷଣ କରି ବିଶ୍ୱକୁ ପରିଚୟ ଦେଇଥିବା କମଳା ଦକ୍ଷିଣ ଆଫ୍ରିକାର ଜୋହାନ୍ସ ବର୍ଗ ଠାରେ ୨୦୦୨ ମସିହା ଅଗଷ୍ଟ ୩୦ ତାରିଖରେ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ମାନିତ ହୋଇଥିବା ବେଳେ ୨୦୦୩ରେ ଆଇଏସିଆର ତାଙ୍କୁ ସମ୍ବର୍ଦ୍ଧିତ କରିଥିଲା।
 
ବିଗତ ତିନି ଦଶନ୍ଧି ଧରି କମଳା ନିଜ ଗାଁ ପାତ୍ରପୁଟ ଠାରେ ୧୦୦ରୁ ଉର୍ଦ୍ଧ୍ୱ ଧାନ ପ୍ରଜାତିର ଚାଷ କରି ଆସୁଛନ୍ତି,ଯାହା ଓଡିଶାରେ ପ୍ରଥମ ଗାଁ ଯେଉଁଠି ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏତେ ପ୍ରକାର ପ୍ରଜାତି ତିଷ୍ଠି ରହିଛି ।
 
୨୦୦୨ ବର୍ଷରେ ଇକ୍ୱେଟର ଇନିସିଏଟିଭ ଆଓ୍ୱାର୍ଡ ପାଇଥିବା କମଳାଙ୍କୁ  ରାଜ୍ୟ ସରକାର ନଭେମ୍ବର ୨୦୦୪ରେ ଏହି ନିଆରା କୃଷି ବିଜ୍ଞାନୀଙ୍କୁ ସମ୍ବର୍ଦ୍ଧିତ କରାଇଥିଲେ ।

Leave a Reply

Your email address will not be published. Required fields are marked *



Comments