ସକାଳେ ଚା’ବାଲା, ଦିନରେ ଶିକ୍ଷକ
Khabar Odisha: different-personality-of-dprakash-rao-in-morning-sell-tea-and-in-day-teaches

ସକାଳ ସଞ୍ଜରେ ସେ ବିକନ୍ତି ଚା’  ଦିନସାରା ବ୍ୟସ୍ତ ରହନ୍ତି ସମାଜସେବା ଆଉ ଶିକ୍ଷାଦାନରେ । ଏମିତି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଡି.ପ୍ରକାଶ ରାଓ । କଟକ ବସ୍ତି ଅଞ୍ଚଳରେ ଜଣେ ଜଣାଶୁଣା ସମାଜସେବୀ ଭାବେ ପ୍ରକାଶ ପାଇଛନ୍ତି ଅନେକ ସୁଖ୍ୟାତି ଅନେକ ସମ୍ମାନ । 
 
ପ୍ରକାଶଙ୍କ ପିତା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଜଣେ ସୈନିକ ଥିଲେ ଯିଏ କି ସେବା ନିବୃତ୍ତ ପରେ ୧୯୬୦ ମସିହାରେ କଟକ ବକ୍ସିବଜାର ଅଞ୍ଚଳରେ ଏକ ଚାଦୋକାନ ଖୋଲିଥିଲେ । ବାଲ୍ୟକାଳରୁ ପ୍ରକାଶ ନିଜ ପିତାଙ୍କୁ ଚାଦୋକାନରେ ସାହାଯ୍ୟ କରୁଥିଲେ । ସବୁକିଛି  ଠିକ୍‌ଠାକ୍‌ ଚାଲିଥିବା ବେଳେ ହଠାତ୍‌ ୧୯୭୬ ମସିହାରେ ମେରୁଦଣ୍ଡରେ ଟ୍ୟୁମର କାରଣରୁ ପ୍ରକାଶ ପକ୍ଷାଘାତର ସମ୍ମୁଖୀନ ହେଲେ । ବିଶିଷ୍ଠ ସ୍ନାୟୁଶଲ୍ୟ ବିଶେଷଜ୍ଞ ଡା.ସନାତନ ରଥଙ୍କ ସହ ପରାମର୍ଶ କରି ନ୍ୟୁରୋସର୍ଜରୀ ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି ହେଲେ ପ୍ରକାଶ । ଦୀର୍ଘ ୬ ମାସ ଧରି ଚାଲିଲା ଚିକିତ୍ସା । ମେଡିକାଲର ସମୟଗୁଡିକ ପାଲଟିଗଲା ସ୍ମୃତି । ମେଡିକାଲର ବେଡ୍‌ରୁ ଉଠି ପାଦ ମାଟିରେ ଲାଗିବା ପରେ ପ୍ରକାଶ ଜାଣିଲେ ଯେ ତାଙ୍କର ସୁସ୍ଥ ହେବା ପଛରେ କିଏ ରକ୍ତ ଦେଇଛି ତ କିଏ ଶ୍ରମ । ଅନ୍ୟମାନଙ୍କ ଅଯାଚିତ ସାହାଯ୍ୟରୁ ବଞ୍ଚି ଯାଇଛି ତାଙ୍କର ଜୀବନ ।
 
ଏହି ଘଟଣାର ଦୁଇ ବର୍ଷ ପରେ ଜଣେ ରିକ୍ସା ଚାଳକଙ୍କର ଦୂର୍ଘଟଣା ହୋଇଥିଲା । ତାଙ୍କୁ ରକ୍ତ ଦେଲେ ପ୍ରକାଶ । ସେଦିନଠୁ ପଛକୁ ଫେରି ନାହାନ୍ତି ସେ । ଅଦ୍ୟାବଧି ୧୯୨ ଥର ରକ୍ତଦାନ କରି ମୁମୂର୍ଷ ଅସହାୟଙ୍କ ନିକଟରେ ଦେବଦୂତ ଭାବେ ଠିଆ ହୋଇଛନ୍ତି । ଜରୁରୀକାଳୀନ ରକ୍ତଦାନ ପାଇଁ ଏକ ବାହିନୀ ଗଢ଼ି ତାର ନେତୃତ୍ୱ ନେଉଛନ୍ତି ପ୍ରକାଶ ।
 
ବସ୍ତିରେ ଅପାଠୁଆ ରହି ଯାଉଥିବା ଛୋଟ ଛୋଟ ପିଲାଙ୍କୁ ଭେଟି ସେମାନଙ୍କ ବାବଦରେ ତଥ୍ୟ ସଂଗ୍ରହ କରିଥିଲେ ପ୍ରକାଶ । ସେମାନଙ୍କ ବାପା-ମାମାନେ ଶ୍ରମଜୀବି ହୋଇଥିବାରୁ ଘରୁ ସକାଳୁ ସେମାନେ ଚାଲିଯିବା ପରେ ପିଲାମାନେ ଘର ଜଗି ରହନ୍ତି । ଅଭିଭାବକମାନଙ୍କ ପାଖରେ ପଢ଼ାଇବା ପାଇଁ ସମୟ ନାହିଁ କି ଟଙ୍କା ନାହିଁ । ଏକଥା ଜାଣି ପ୍ରକାଶ ୨୦୦୦ ମସିହାରୁ ପିଲାଙ୍କ ଘର ପାଖରେ ପଢ଼ାଇବାର ବ୍ୟବସ୍ଥା କଲେ । ଏବେ ରାଓଙ୍କ ବିଦ୍ୟାଳୟରେ ପ୍ରଥମରୁ ତୃତୀୟ ଶ୍ରେଣୀ ଯାଏଁ ୬୦ ପିଲା ଅଛନ୍ତି । 
 

Leave a Reply

Your email address will not be published. Required fields are marked *



Comments