କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଖୁସି ଖବର, ୪୦ ଲକ୍ଷ ପର୍ଯ୍ୟନ୍ତ ଜିଏସଟି ଛାଡ
Khabar Odisha:business-odisha-gst-council-meeting-in-new-delhi
ନୂଆଦିଲ୍ଲୀ ଜାନୁଆରୀ ୧୦ (ଖବର ଓଡିଶା)

କ୍ଷୁଦ୍ର ବ୍ୟବସାୟୀଙ୍କୁ ନିର୍ବାଚନ ପୂର୍ବରୁ ଉପହାର ଦେଇଛନ୍ତି ମୋଦୀ ସରକାର । ଜିଏସଟିରେ କେତେକ ପରିବର୍ତ୍ତନ କରିଛନ୍ତି ସରକାର । ନୂଆ ନୀୟମ ଅନୁସାରେ ଏବେ ବାର୍ଷିକ ୪୦ ଲକ୍ଷ ପର୍ଯ୍ୟନ୍ତ ଥିବା କାରବାର ଜିଏସଟି ଛାଡ ପାଇପାରିବେ । ପୂର୍ବରୁ ଏହି ସୀମା ୨୦ ଲକ୍ଷ ଥିଲା । ଏହାସହ ଉତ୍ତର ପୂର୍ବ ଓ ପାହଡିଆ ରାଜ୍ୟ ଗୁଡିକରେ ଜିଏସଟି ଛାଡ ସୀମା ୨୦ ଲକ୍ଷକୁ ବଦ୍ଧିତ କରାଯାଇଛି । ଏହା ପୂର୍ବରୁ ଏହି ରାଜ୍ୟ ଗୁଡିକରେ ଏହାର ସୀମା ୧୦ ଲକ୍ଷ ଥିଲା । ଜିଏସଟିର ବୈଠକପରେ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । 

ଜିଏସଟିର ଛାଡ ସୀମା ବଢିବା ପରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ଏଥିରୁ ମୁକ୍ତି ମିଳିଥିବା ବେଳେ ଏବେ ଟ୍ୟାକ୍ସ ଚୋରୀ ନେଇ ଘଟଣା ବଢିବାର ଅଶଙ୍କା କରାଯାଉଛି । 

ଜିଏସଟି ବୈଠକରେ ଜିଏସଟି ଛାଡ, କମ୍ପୋଜିସନ ସ୍କିମ ଓ କେରଳରେ ବିପର୍ଯ୍ୟୟ ପାଇଁ ସେସ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କମ୍ପୋଜିସନ ସ୍କିମର ଅବିଧି ବଢାଇଯାଇଥିବା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସୂଚନା ଦେଇଛନ୍ତି । ୧ କୋଟିରୁ ୧.୫ କୋଟିକୁ କମ୍ପୋଜିସନ ସ୍କିମର ପରଧିକୁ ବୃଦ୍ଧି କରାଯାଇଛି । ବାର୍ଷିକ ୧.୫ କୋଟି କାରବାର ଥିଲେ ବାର୍ଷିକ ରିଟର୍ଣ୍ଣ ଦାଖଲ କରିବାରେ ସୁବିଧା ହେବ । ଏହା ସହ କମ୍ପାନୀ ଗୁଡିକୁ ଟିକସ ଦେବାରେ ମଧ୍ୟ ରାହତ ଯୋଗାଇଛନ୍ତି ସରକାର । କମ୍ପୋଜିସନ ସ୍କିମରେ ଏଣିକି ପ୍ରତି ୩ ମାସରେ ଟିକସ ପଇଠ କରିବାକୁ ପଡିବ । ସେହିପରି ସେବା ପ୍ରଦାନକାରୀ ସଂସ୍ଥା ପାଇଁ ମଧ୍ୟ ଲାଗୁ ହେବ କମ୍ପୋଜିସନ ସ୍କିମ । ଆସନ୍ତା ଏପ୍ରିଲ ୧ ରୁ ଲାଗୁ ହେବ ଏହି କମ୍ପୋଜିସନ ସ୍କିମର ବର୍ଦ୍ଧିତ ସୀମା । 

ବୈଠକରେ କେରଳରେ ହୋଇଥିବା ବିପର୍ଯ୍ୟୟ ପରେ ବିକାଶ କାର୍ଯ୍ୟରେ ବିନିଯୋଗ ହେବାକୁ ଥିବା ଟଙ୍କା ଯୋଗାଡ କରିବା ପାଇଁ ଅତିରକ୍ତ ସେସ ଲଗାଇବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ସର୍ବାଧିକ ଦୁଇ ବର୍ଷ ଯାଏ କେରଳ ସର୍ବାଧିକ ୧ ପ୍ରତିଶତ ସେସ ଲଗାଇ ପାରିବ ।

Subscribe

National International State Sports Entertainment