ନଭେମ୍ବର ୧୧ରୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍, ପୂର୍ଣ୍ଣାଙ୍ଗ ଅଧିବେଶନରେ ଯୋଗଦେବେ ମୁକେଶ ଅମ୍ବାନି
Khabar Odisha:Make-in-Odisha-Started-from-November-11
ଭୁବନେଶ୍ୱର, ନଭେମ୍ବର ୦୬(ଖବର ଓଡ଼ିଶା):

 ନଭେମ୍ବର ୧୧ ତାରିଖରୁ ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି ଚଳିତବର୍ଷର ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ କାର୍ଯ୍ୟକ୍ରମ। ଏହା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକପ୍ରକାର ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଆଜି ଉଦଘାଟନୀ ଦିବସର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ଅନନ୍ତ ଦାସ।  

ମନ୍ତ୍ରୀଙ୍କ ସୂଚନାନୁଯାୟୀ, ଆସନ୍ତା ୧୧ ତାରିଖ ଦିନ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ କାର୍ଯ୍ୟକ୍ରମର ସ୍ୱାଗତ ସମାରୋହ ଅନୁଷ୍ଠିତ ହେବ । ସକାଳ ୬ଟାରୁ ପୁରୀ କୋଣାର୍କରୁ କୋଷ୍ଟାଲ ଫନ୍‌ ରନ୍‌ ହେବ । ଭୋର ୬ଟା ୩୦ରେ ଭୁବନେଶ୍ୱରର ଖଣ୍ଡଗିରି ଓ ଉଦୟଗିରିରେ ଐତିହ ପଦଯାତ୍ରା କରାଯିବ। ପୂର୍ବାହ୍ଣ ୯ଟାରେ ଗଲ୍ଫ କ୍ଲବରେ ଗଲ୍ଫ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏହା ପରେ ସଂଧ୍ୟା ୬ଟାରେ ମେକ୍‌ ଇନ୍‌ ଓଡ଼ିଶା ଏକ୍ସପୋକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ। ଏହି ଦିବସରେ ୨୮ଟି ଦେଶର ରାଷ୍ଟ୍ରଦୂତ ଯୋଗଦେବେ। ବିଦେଶରୁ ୫୦ଟି କମ୍ପାନି ଆସିବାର ଆଶା ରହିଛି। ୨ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ନିବେଶ ପ୍ରସ୍ତାବ ଆସିବାର ସମ୍ଭାବନା ଅଛି ବୋଲି ଶିଳ୍ପ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି। 

ସେହିପରି ୧୨ ତାରିଖରେ ପ୍ଲେନାରି ସେସନ ଉଦ୍‌ଘାଟନ ହେବ। ଏହି ଦିନ ଦେଶର ୨୫ ଜଣ ବିଶିଷ୍ଟ ଶିଳ୍ପପତି ଯୋଗ ଦେବେ। ପୂର୍ଣ୍ଣାଙ୍ଗ ଅଧିବେଶନରେ ମୁକେଶ ଅମ୍ବାନି, ଗୌତମ ଆଦାନି ଓ ଆନନ୍ଦ ମହିନ୍ଦ୍ରାଙ୍କ ପରି ନାମୀଦାମୀ ଶିଳ୍ପପତି କାର୍ଯ୍ୟକ୍ରମରେ ଯୋଗଦେବେ। ଅପରାହ୍ଣ ୧୨ଟା ୩୦ରୁ ୨ଟା ଯାଏ ବିଜ୍‌ନେସ୍‌ ଲିଡରସିପ୍‌ ସମିଟ୍‌ ଅନୁଷ୍ଟିତ ହେବ। ଅନ୍ୟନ୍ୟ ଦିନ ମାନଙ୍କରେ ମଧ୍ୟ ପୁଞ୍ଜିନିବେଶକାରୀଙ୍କ ଆକୃଷ୍ଟ କରିବାକୁ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ।     

Subscribe

National International State Sports Entertainment