୫୬, ୯୨୧ କୋଟି ଟଙ୍କାର ଲେଖାନୁଦାନ ଆଗତ, 'କାଳିଆ' ପାଇଁ ୪୪୬୧ କୋଟି ଟଙ୍କା ବ୍ୟୟବରାଦ, ଜାଣନ୍ତୁ କଣ ରହିଛି ଏହି ବଜେଟରେ
Khabar Odisha:Business-Odisha-odisha-presents-56921-crore-vote-for-grant
ଭୁବନେଶ୍ଵର, ଫେବୃଆରୀ ୦୭(ଖବର ଓଡ଼ିଶା):

 ଅର୍ଥମନ୍ତ୍ରୀ ଶଶି ବେହେରା ଗୁରୁବାର ବିଧାନସଭାରେ ଚାରି ମାସ ପାଇଁ ଅନ୍ତରୀଣ ବଜେଟ୍ ବା କାମଚଳା ବଜେଟ୍ ଆଗତ କରିଛନ୍ତି।  ନିର୍ବାଚନୀ ବର୍ଷ ଥିବାରୁ ସରକାର ପ୍ରଥମ ୪ ମାସ ପାଇଁ ୫୬, ୯୨୧ କୋଟି ଲେଖାନୁଦାନ ଆଗତ କରିଛନ୍ତି। ଜାତୀୟ ହାରଠାରୁ ଓଡ଼ିଶାର ଅଭିବୃଦ୍ଧି ହାର ଅଧିକ ରହିଥିବା ଅର୍ଥମନ୍ତ୍ରୀ କହିଛନ୍ତି। ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ଵ ଦେଉଛନ୍ତି। ଫଳପ୍ରଦ ଓ ରାଜ୍ୟବାସୀଙ୍କୁ ଦକ୍ଷ ସେବା ପାଇଁ ଥ୍ରୀଟି ଉପରେ ଗୁରୁତ୍ଵ ଦିଆଯାଉଛି। କୃଷକମାନଙ୍କ ଆୟ ଦ୍ଵିଗୁଣିତ କରିବାରେ ଆମେ ସଫଳ ହୋଇଥିବା ଅର୍ଥମନ୍ତ୍ରୀ କହିଛନ୍ତି। ୨୦୧୮-୧୯ରେ ମୋଟ୍ ଘରୋଇ ଉତ୍ପାଦର ଅଭିବୃଦ୍ଧି ହାର ୮.୩୫ ପ୍ରତିଶତ ରହିଛି। ୨୦୦୫ଠାରୁ ରାଜ୍ୟ କ୍ରମାଗତ ବଳକା ରାଜ୍ୟ ଭାବେ ପରିଗଣିତ ହୋଇଛି। ଏହା ସହିତ ରାଜ୍ୟ ସରକାରଙ୍କ ସଫଳତା ବଖାଣିଛନ୍ତି ଅର୍ଥମନ୍ତ୍ରୀ।

ଏହି  ବଜେଟରେ ସାମାଜିକ ସୁରକ୍ଷା ଭତ୍ତା ୨ ଶହ ଟଙ୍କା ବୃଦ୍ଧି କରାଯାଇଛି। ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ମାଧ୍ୟମରେ ସମସ୍ତଙ୍କୁ ମାଗଣା ସ୍ଵାସ୍ଥ୍ୟ ସେବା ସେବା ବ୍ୟବସ୍ଥା କରାଯାଇଛି। ୩ଟି ମେଡିକାଲ କଲେଜ ସିଟ୍ ବୃଦ୍ଧି କରାଯିବା ସହିତ ୪ଟି ନୂଆ ମେଡିକାଲ କଲେଜ ହୋଇଛି। 

କାଳିଆ ପାଇଁ ସର୍ବାଧିକ

ରାଜ୍ୟ ବଜେଟରେ କାଳିଆ ଯୋଜନା ଉପରେ ଗୁରୁତ୍ଵାରୋପ କରାଯାଇଛି।  କାଳିଆ ଯୋଜନା ପାଇଁ ବଜେଟରେ ୪୪୬୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। କୃଷକ କେମିତି କମ ସୁଧରେ ଋଣ ପାଇ ପାରିବେ ସେଥିାପାଇଁ  କୃ଼ଷ ଋଣରେ ସୁଧ ରିହାତି ପାଇଁ ୮୦୦ କୋଟି ବ୍ୟୟ ବରାଦ କରାଯାଇଛି।  ସେହି ପରି ରାଜ୍ୟ ସରକାରଙ୍କ ସବୁଠୁ ବଡ଼ ଯୋଜନା ଟଙ୍କିକିଆ ଚାଉଳ ଯୋଗାଣ ପାଇଁ ୧୦୨୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। 

ଆମ ଗାଁ, ଆମ ବିକାଶରେ ପିଠା ଯୋଜନାରେ ୪୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହି ପରି ଆଡିବନ୍ଧ ନିର୍ମାଣ ପାଇଁ ୩୫୭ କୋଟି, ବିଜୁ ସେତୁ ଯୋଜନା ପାଇଁ ୫୦୦ କୋଟି, ରାଜ୍ୟରେ ରେଳ ପ୍ରକଳ୍ପ ଉନ୍ନତିକରଣ ପାଇଁ ୪୧୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ମଧୁବାବୁ ପେସନସନ ଓ ବସୁଧା ଯୋଜନା

ଏହି ଲେଖାନୁଦାନରେ ୩୩/୧୧ କେଭି ବିଦ୍ୟୁତ୍ ଉପକେନ୍ଦ୍ର ସ୍ଥାପନ ପାଇଁ ୫୩୩ କୋଟି , ପ୍ରତ୍ୟେକ ରାଜ୍ୟବାସୀଙ୍କୁ ସୁଦ୍ଧ ଜଳ ଯୋଗାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର  ବସୁଧା ଯୋଜନା ପାଇଁ ୨୯୩୫ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।  ଏହି ପରି ମଧୁବାବୁ ପେସନସନ ଯୋଜନା ପାଇଁ ୨୧୨୦ କୋଟି,  ମିଶନ ଶକ୍ତି ପାଇଁ ୩୦୧ କୋଟି,  ମମତା ଯୋଜନା ପାଇଁ ୩୦୫  କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା 

କେନ୍ଦ୍ରର ଆୟୁଷ୍ମାନ ଯୋଜନାକୁ ଟକ୍କର ଦେବା ପାଇଁ ରାଜ୍ୟ ସରକାର ଲାଗୁ କରିଥିବା ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୮୬୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ବିଜୁ ଯୁବ ବାହିନୀ ପାଇଁ ୧୦୫ କୋଟି,  ପାର୍ବତୀ ଗିରି ବୃହତ୍ତ ଉଠା ଜଳ ସେଚନ ପାଇଁ ୧୭୭୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। 

ଚାରି ମାସ ପାଇଁ ଆଗତ ଏହି ଲେଖାନୁଦାନରେ ସଡକ ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ୧୩୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୩୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। 

ମୋଟ୍ ବ୍ୟୟ ଅଟକଳ ୧,୩୨,୬୬୦ କୋଟି

୨୦୧୯-୨୦ ପାଇଁ ମୋଟ୍ ବ୍ୟୟ ଅଟକଳ ୧,୩୨,୬୬୦ କୋଟି ଟଙ୍କା ରଖାଯାଇଛି।  ୨୦୧୯-୨୦ରେ ପୁଞ୍ଜି ଖର୍ଚ୍ଚ ୨୩ ହଜାର ୭୮୪ କୋଟି ଟଙ୍କା ରଖାଯାଇଛି। ଆର୍ଥିକ ବର୍ଷର ପୁଞ୍ଜି ଖର୍ଚ୍ଚ ମୋଟ୍ ଘରୋଇ  ଉତ୍ପାଦନର ୪.୪ ପ୍ରତିଶତ ରହିଥିବା ଅର୍ଥମନ୍ତ୍ରୀ କହିଛନ୍ତି। ଏହି ପରି ୨୦୧୯-୨୦ରେ ରାଜସ୍ଵ ପ୍ରାପ୍ତି ଲକ୍ଷ୍ୟ ୧,୧୦,୭୧୦ କୋଟି ରଖାଯାଇଛି। 

ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୨ ହଜାର କୋଟି ଦିଆଯିବାର ପ୍ରାବଧାନ କରାଯାଇଛି।  ରାଜ୍ୟ ଅର୍ଥରୁ ସଂସ୍ଥାଗୁଡିକୁ ୬,୪୯୦ କୋଟି ଟଙ୍କା ଦିଆଯିବ। ଗତ ୧୦ ବର୍ଷରେ ୮୦ ଲକ୍ଷ ଲୋକ ଦାରିଦ୍ର୍ୟୟ ସୀମାରେଖା ଉପରକୁ ଉଠିଛନ୍ତି। 

ବିତ୍ତୀୟ ନିଅନ୍ତ ୧୬,୧୯୩ କୋଟି ଟଙ୍କା 

ଏହା ବାଦ୍ ୨୦୧୯-୨୦ରେ ବିତ୍ତୀୟ ନିଅନ୍ତ ୧୬,୧୯୩ କୋଟି ଟଙ୍କା ରହିଛି।  ପ୍ରଶାସନିକ ଅଟକଳରେ ଦରମା  ବାବଦକୁ ୨୫ ହଜାର ୫୫୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ପେନସନ ବାବଦରେ ୧୩ ହଜାର ୩୩୦ କୋଟି, ଋଣ ପରିଶୋଧ ଲାଗି ୬ ହଜାର ୫୦୦ କୋଟି, ମେଣ୍ଟେନାନ୍ସ ଓ କ୍ୟାପିଟାଲ ଏକ୍ସପେନ୍ସ ବାବଦରେ ୪ ହଜାର ୮୮୦ କୋଟି ଟଙ୍କା ବ୍ୟବସ୍ଥା ରହିଛି। ୨୦୧୯-୨୦ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୭୦ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

  • Tags:

Subscribe

National International State Sports Entertainment